ପୋଲିସ୍ SI ପରୀକ୍ଷା କେଳେଙ୍କାରୀର ମୁଖ୍ୟ ଦଲାଲ ମୁନା ମହାନ୍ତି ଗିରଫ

ପୋଲିସ୍ SI ପରୀକ୍ଷା କେଳେଙ୍କାରୀର ମୁଖ୍ୟ ଦଲାଲ ମୁନା ମହାନ୍ତିଙ୍କୁ ଦଶପଲ୍ଲା ନିକଟରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ମୁନାଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ସମେତ ମୋଟ ୩ ଜଣଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ନିଆଯାଇଛି। ମୁନାଙ୍କ କଳା ସାମ୍ରାଜ୍ୟ ନୟାଗଡ଼ ଦଶପଲ୍ଲା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା ମିଳିଛି। ତାଙ୍କ ଦୁଇଟି ବ୍ରାଣ୍ଡ୍ ନ୍ୟୁ ଟିପର, ଯାହା ଗତ ୪ ମାସ ଓ ଏକ ବର୍ଷ ପୂର୍ବେ କିଣା ହୋଇଥିଲା, ଚୋରା ବାଲି ଚାଲାଣ ପାଇଁ ବ୍ୟବହୃତ ହେଉଥିବା ଜଣାପଡ଼ିଛି।

ଏହି ଟିପର କେଳେଙ୍କାରୀରୁ ମିଳିଥିବା ଟଙ୍କାରେ କିଣା ହୋଇଥିବା ଅଭିଯୋଗ ହେଉଛି। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାଲିଥିବା ମାମଲାରେ କୋର୍ଟ କ୍ରାଇମବ୍ରାଞ୍ଚକୁ କେସଡାଏରୀ ଓ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ୧୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୧୩ ଜଣ ଜାମିନ ଆବେଦନ କରିଛନ୍ତି। ମୁନା ପୂର୍ବରୁ ଦଶପଲ୍ଲାର ଏକ ଫାର୍ମ ହାଉସ୍‌ରେ ଲୁଚିଥିବା ସୂଚନା ଥିଲା, କିନ୍ତୁ କ୍ରାଇମବ୍ରାଞ୍ଚ ଚଢ଼ାଉ ପୂର୍ବରୁ ସେ ଚମ୍ପଟ ମାରିଥିଲେ। ଏବେ ତାଙ୍କୁ ଗିରଫ କରାଯିବା ପରେ ଏହି କେଳେଙ୍କାରୀର ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏହି ମାମଲାରେ ଆହୁରି କେତେ ରହସ୍ୟ ଖୋଲିବ, ତାହା ଏବେ ଦେଖିବାର ବିଷୟ।

Leave a Reply

Your email address will not be published. Required fields are marked *