ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୩୨ଟପିଲା, ୧୫ଶହରୁ ଅଧିକ ନିଖୋଜ

ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୩୨ଟପିଲା । ଏଯାଏଁ ୧୫ଶହରୁ ଅଧିକ ନିଖୋଜ ଅଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ନେଇ ଆଶଙ୍କା କରାଯାଉଛି । ତିବ୍ବତରେ ମଧ୍ୟ ୫୫୦ରୁ ଅଧିକ ନିଖୋଜ ଅଛନ୍ତି । ଧ୍ବଂସାବଶେଷ ତଳୁ ଚାଲିଛି ଜୀବନର ସନ୍ଧାନ । ପ୍ରାୟ ୧୦୦ ନିଖୋଜ ଭାରତୀୟଙ୍କ ପତ୍ତା ମିଳିଲା ।

ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି, ୨୮୮ ଭାରତୀୟ ନିଖୋଜ ରହିଛନ୍ତି । ସେମାନଙ୍କ ଭିତରୁ ୭୩ ଜଣ ଭାରତୀୟ ତ୍ରିଶୁଲି ୱାନ ପାୱାର ପ୍ରୋଜେକ୍ଟରେ କାମ କରୁଥିଲେ । ଅନ୍ୟପଟେ ନେପାଳ ପ୍ରଳୟ ଯୋଗୁଁ ୨୦୦ରୁ ଅଧିକ କୈଳାସ ମାନସରୋବର ତୀର୍ଥଯାତ୍ରୀ ଫସି ରହିଛନ୍ତି । ନେପାଳ ପ୍ରଳୟ ପରେ କାଦୁଅ ଓ ଧ୍ୱଂସାବଶେଷ ତଳେ ଚାଲିଛି ଜୀବନର ସନ୍ଧାନ । ବ୍ୟାପକ ସର୍ଚ୍ଚ ଓ ରେସକ୍ୟୁ ଅପରେସନ୍ ଜାରି ରହିଛି । ବନ୍ୟା ପାଣି ଓ ପାହାଡ଼ରୁ ଖସିଆସିଥିବା ମାଟି-ପଥର ଅନେକ ସ୍ଥାନରେ ବହୁତଳ କୋଠାର ତଳ ମହଲାକୁ ପୋତି ଦେଇଛି । ଉଦ୍ଧାରକାରୀ ଦଳ କାଦୁଅ, ପଥର ଓ ଧ୍ୱଂସାବଶେଷ ଭିତରେ ଲୋକଙ୍କୁ ଖୋଜୁଛନ୍ତି ।

ନିଖୋଜ ବିଦେଶୀଙ୍କ ମଧ୍ୟରେ ଭାରତୀୟଙ୍କ ସହ ଅଷ୍ଟ୍ରେଲିଆ, ବ୍ରିଟେନ୍, ମାଲେସିଆ, ନେଦରଲାଣ୍ଡ୍ସ, ପର୍ତ୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଓ ଆମେରିକାର ନାଗରିକ ଅଛନ୍ତି । ଏହି ଭୟଙ୍କର ବିପର୍ଯ୍ୟୟ ସମୟରେ ନେପାଳକୁ ସହାୟତାର ହାତ ବଢ଼ାଇଛି ଭାରତ । ଭାରତ ପକ୍ଷରୁ ୧୦ ଟନ୍ ସାମଗ୍ରୀ ସହ ଜରୁରୀ ଔଷଧ ପଠାଯାଇଛି । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏନେଇ ସୂଚନା ଦେଇଛନ୍ତି । ଆମେରିକା ମଧ୍ୟ ୫ ଲକ୍ଷ ଡଲାରର ଜରୁରୀ ସହାୟତା ଯୋଗାଇଦେବ ବୋଲି ଘୋଷଣା କରିଛି ।

US Geological Survey ଅନୁସାରେ ହିମାଳୟର ଉପରମୁଣ୍ଡରେ ଏକ ବିଶାଳ ଗ୍ଲାସିଅର ଧସିବା ଯୋଗୁଁ ଭୂସ୍ଖଳନ ହୋଇଥିଲା । ଗ୍ଲେସିୟର ସହ ବିପୁଳ ପରିମାଣର ବରଫ, ପଥର ଓ ମାଟି ତଳକୁ ଖସିଆସିବା ପରେ ନଦୀ ପ୍ରବାହରେ ବଡ଼ ପରିବର୍ତ୍ତନ ଘଟିଥିଲା । ଏହାର ପରିଣାମରେ ପାଣି, କାଦୁଅ ଓ ପଥରର ଭୟଙ୍କର ସୁଅ ମାଡ଼ିଆସି ନେପାଳ ଓ ତିବ୍ବତରେ ବିନାଶକାରୀ ପ୍ରଭାବ ସୃଷ୍ଟି କରିଥିଲା ।