ଗୋଳାବନ୍ଧ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ୧୩୭୧ ପରିବାରକୁ ୭୫ କୋଟି ୬୦ଲକ୍ଷ ଟଙ୍କାର ଥଇଥାନ ପ୍ୟାକେଜ୍

ଗଞ୍ଜାମ ଗସ୍ତ ଅବସରରେ ବିସ୍ଥାପିତଙ୍କ ପାଇଁ ଏକ ବଡ଼ ଆର୍ଥିକ ସହାୟତା ପ୍ୟାକେଜ୍‌ ଏବଂ ଘରବାରି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ଗୋଳାବନ୍ଧଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦୀର୍ଘ ୪ ଦଶନ୍ଧି ଧରି ଲାଗି ରହିଥିବା ଜଟିଳ ବିସ୍ଥାପିତ ସମସ୍ୟାର ସ୍ଥାୟୀ ସମାଧାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ମୋଟ ୭୫.୬୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିବା ସହ ୧,୦୦୮ଟି ନୂତନ ବାସଗୃହ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ୧୧୨ଟି ବିସ୍ଥାପିତ ପରିବାରକୁ ଘରବାରି ଏବଂ ଚାଷଜମିର ପଟ୍ଟା ପ୍ରଦାନ କରାଯାଇଛି ।

ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ତୀବ୍ର ବର୍ଷିଥିଲେ । ସେ କହିଥିଲେ ଯେ, ବିଗତ ୨୪ ବର୍ଷ ଧରି ପୂର୍ବ ସରକାର ଗଞ୍ଜାମକୁ ନିଜର ଅଭେଦ୍ୟ ଦୁର୍ଗ ଭାବି ଲୋକଙ୍କ ମୌଳିକ ସମସ୍ୟା ଓ ଭବିଷ୍ୟତକୁ ସରକାରୀ ଫାଇଲ ତଳେ ଚାପି ରଖିଥିଲେ । କିନ୍ତୁ ବର୍ତ୍ତମାନର ବିଜେପି ଡବଲ ଇଞ୍ଜିନ୍ ସରକାର ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରତ୍ୟେକଟି ସମସ୍ୟାର ସ୍ଥାୟୀ ନିରାକରଣ କରୁଛି । ଏହି ଅବସରରେ ଜିଲ୍ଲାରେ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ଅର୍ଜିପଲ୍ଲୀ ବନ୍ଦରର ନବୀକରଣ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ୨୮ଟି ନୂତନ ‘ଫିସ୍ ଲ୍ୟାଣ୍ଡିଂ ସେଣ୍ଟର’ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଦୀର୍ଘ ବର୍ଷ ଧରି ସ୍ଥାୟୀ ପକ୍କା ଘର ଓ ଜମି ପଟ୍ଟା ନଥିବାରୁ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତ ପରିବାରଗୁଡ଼ିକ ଖରା, ବର୍ଷା ଓ ଶୀତରେ ଚରମ ଦୁର୍ଦ୍ଦଶା ଭୋଗୁଥିଲେ । ବାସହୀନତା ଯୋଗୁଁ ପିଲାମାନଙ୍କ ପାଠପଢ଼ା ଓ ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିଲା । ଏବେ ସରକାରଙ୍କ ତରଫରୁ ପକ୍କା ଘର, ଆର୍ଥିକ ସହାୟତା ଏବଂ ଜମି ପଟ୍ଟା ମିଳିବା ପରେ ବିସ୍ଥାପିତ ପରିବାରଗୁଡ଼ିକ ମଧ୍ୟରେ ଉତ୍ସାହ ଓ ଖୁସିର ଲହରୀ ଖେଳିଯାଇଛି । ଅନ୍ୟପକ୍ଷରେ, ବର୍ତ୍ତମାନ ସୁଦ୍ଧା ସୁବିଧାରୁ ବଞ୍ଚିତ ରହିଯାଇଥିବା ବାକି ବିସ୍ଥାପିତ ପରିବାରଗୁଡ଼ିକୁ ମଧ୍ୟ ଅବିଳମ୍ବେ ପଟ୍ଟା ପ୍ରଦାନ କରିବାକୁ ସ୍ଥାନୀୟ ହିତାଧିକାରୀମାନେ ଅନୁରୋଧ କରିଛନ୍ତି ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ଏବଂ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ମଞ୍ଚାସୀନ ଥିଲେ । ଏହାସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ବହୁ ବିଧାୟକ, ପ୍ରଶାସନିକ ଅଧିକାରୀ ଏବଂ ହଜାର ହଜାର ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ