ଲୋକାୟୁକ୍ତ ଚୟନ କମିଟିରେ ପୂର୍ବତନ CJI ଜଷ୍ଟିସ୍ ଜି.ବି. ପଟ୍ଟନାୟକ

ଲୋକାୟୁକ୍ତ ଚୟନ କମିଟିରେ ପୂର୍ବତନ CJI ଜଷ୍ଟିସ୍ ଜି.ବି. ପଟ୍ଟନାୟକ। ଓଡ଼ିଶା ଲୋକାୟୁକ୍ତଙ୍କ ଚୟନ କମିଟିର ସଦସ୍ୟ ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ଙ୍କୁ ମନୋନୀତ କରାଯାଇଛି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ୍ ଜି.ବି. ପଟ୍ଟନାୟକ ଦେଶର ନ୍ୟାୟପାଳିକାର ଜଣେ ବରିଷ୍ଠ ତଥା ପରିଚିତ ବ୍ୟକ୍ତିତ୍ୱ।

ଜଷ୍ଟିସ୍ ପଟ୍ଟନାୟକ ଓଡ଼ିଶା ହାଇକୋର୍ଟରେ ଦେୱାନୀ, ଫୌଜଦାରୀ, ସାମ୍ବିଧାନିକ ଓ କମ୍ପାନୀ ଆଇନ ସମ୍ପର୍କିତ ମାମଲା ପରିଚାଳନା କରିଥିଲେ। ୧୯୭୧ରେ ସେ ଓଡ଼ିଶା ସରକାରଙ୍କ ଷ୍ଟାଣ୍ଡିଂ କାଉନସେଲ୍ ଏବଂ ୧୯୭୪ରେ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତ ହୋଇଥିଲେ। ପରେ ସରକାରୀ ଓକିଲ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

୧୯୮୩ ଜୁନ୍ ୧ରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ହୋଇଥିଲେ। ୧୯୯୫ ମେ’ ୧୯ରେ ଜଷ୍ଟିସ୍ ପଟ୍ଟନାୟକ ପାଟନା ହାଇକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ। ସେହିବର୍ଷ ସେପ୍ଟେମ୍ବର ୧୧ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ତାଙ୍କର ପଦୋନ୍ନତି ହୋଇଥିଲା। ପରବର୍ତ୍ତୀ ସମୟରେ ସେ ଦେଶର ସର୍ବୋଚ୍ଚ ନ୍ୟାୟିକ ପଦରେ ପହଞ୍ଚିଥିଲେ।

୨୦୦୨ ନଭେମ୍ବର ୮ରେ ଜଷ୍ଟିସ୍ ଜି.ବି. ପଟ୍ଟନାୟକ ଭାରତର ୩୨ତମ ପ୍ରଧାନ ବିଚାରପତି (CJI) ଭାବେ ଶପଥ ନେଇଥିଲେ। ତତ୍କାଳୀନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମ ତାଙ୍କୁ ଶପଥ ପାଠ କରାଇଥିଲେ। ଏବେ ଦୀର୍ଘ ନ୍ୟାୟିକ ଅଭିଜ୍ଞତା ଥିବା ଜଷ୍ଟିସ୍ ପଟ୍ଟନାୟକଙ୍କୁ ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି।