ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି ।ଏହାକୁ ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିଛନ୍ତି। ଏହା ସହିତ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ ହୋଇଥିବା ବାଚସ୍ପତି ଘୋଷଣା କରିଛନ୍ତି।
ଏହି କମିଟିରେ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ମନିନ୍ଦର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ହାଇକୋର୍ଟ ବରିଷ୍ଠ ଆଇନଜୀବୀ ବିଭି ଆଚାର୍ଯ୍ୟ ଅଛନ୍ତି। କମିଟି ଖୁବ୍ଶୀଘ୍ର ବର୍ମାଙ୍କ ବିରୋଧରେ ଥିବା ଅଭିଯୋଗ ଉପରେ ଏକ ରିପୋର୍ଟ ଦାଖଲ କରିବ।
ବିଚାରପତି ବର୍ମାଙ୍କ ସରକାରୀ ବାସଭବନରେ ନିଆଁ ଲାଗିଯାଇଥିଲା ଏବଂ ନିଆଁ ଲିଭାଇବା ସମୟରେ ଅଗ୍ନି ନିର୍ବାପକ ଦଳ ସେଠାରୁ ବିଡ଼ା ବିଡ଼ା ଦରପୋଡ଼ା ନଗଦ ଟଙ୍କା ପାଇଥିଲେ। ଏହି ଘଟଣାକୁ ନେଇ ବଡ଼ ଧରଣର ବିବାଦ ହୋଇଛି ଏବଂ ଜଷ୍ଟିସ ବର୍ମାଙ୍କ ବିରୋଧରେ ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି।
ବାଚସ୍ପତି ଗୃହକୁ ଅବଗତ କରିଛନ୍ତି ଯେ ବର୍ମାଙ୍କ ୩୦ ତୁଗଲକ ବଙ୍ଗଳାରୁ ବିପୁଳ ଅର୍ଥ ଠାବ ହୋଇଥିଲା। ନୋଟିସ୍ ଗ୍ରହଣ କରିବା ସହ ବିର୍ଲା କହିଛନ୍ତି ଯେ ତଦନ୍ତ କମିଟି ରିପୋର୍ଟ ଗ୍ରହଣ ପରେ ହିଁ ଏହି ମାମଲାରେ ମହାଭିଯୋଗ ପ୍ରସ୍ତାବ ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।









