ଓଡିଶାରେ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ପାଇଁ ବିଜେଡି ସରକାର ନିଷ୍ପତ୍ତି ପୂର୍ବରୁ ନେଇଥିଲା । ଏଭଳି କହିଛି ବିଜେଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଏହି ପ୍ରକଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ । ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଏଭଳି କହିଛନ୍ତି । ଓଡିଶାରେ ଦୁଇଟି ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ପାଇଁ କେନ୍ଦ୍ର କ୍ୟାବିନେଟ ନେଇଥିବା ନିଷ୍ପତ୍ତିର ମୂଳଦୂଆ ବିଜେଡି ସରକାର ଅମଳରେ ହୋଇଥିଲା ।
ଶ୍ରୀ ମିଶ୍ର କହିଥିଲେ, ରାଜ୍ୟରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକମାନଙ୍କୁ ଆକୃଷ୍ଟ କଲାଭଳି ପ୍ରସ୍ତାବ ମେକ୍ ଇନ୍ ଓଡିଶାର ୨ୟ ସଂସ୍କରଣ ୨୦୨୨ ଡିସେମ୍ବରରେ ଗ୍ରହଣ କରାଯାଇଥିଲା । ତଦ୍ନୁଯାୟୀ ୨୦୨୩ରେ ସେମିକଣ୍ଡକ୍ଟର ଓ ଏହାର ଆନୁଷଙ୍ଗିକ ଭିତ୍ତିଭୂମି ସ୍ଥାପନ ପାଇଁ ଏକ ସ୍ୱତନ୍ତ୍ର ପଲିସି ପ୍ରଣୟନ କରାଯାଇଥିଲା । ଲଗାତାର ଭାବେ ଆନ୍ତର୍ଜାତୀୟ ସ୍ତରରେ ବହୁ ନିବେଶକଙ୍କ ସହିତ ଏ ସଂପର୍କରେ ଆଲୋଚନା କରି ଓଡିଶାକୁ ଏକ ଅତ୍ୟାଧୁନିକ ଇଲୋକ୍ଟ୍ରୋନିକ ଉତ୍ପାଦ କେନ୍ଦ୍ର ରୂପେ ଗଢି ତୋଳିବା ପାଇଁ ଆବଶ୍ୟକ ଇକୋସିଷ୍ଟମ ପ୍ରତିଷ୍ଠା ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
୨୦୨୪ରେ ଅନ୍ୟ ରାଜ୍ୟରେ ସେମିକଣ୍ଡକ୍ଟର ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା ବେଳେ ଆଜି ଓଡିଶାରେ ଦୁଇଟି ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ନିର୍ଦ୍ଧାରିତ ସମୟ ମଧ୍ୟରେ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଆନୁଷଙ୍ଗିକ ଇକୋ ସିଷ୍ଟମ ଗଢିତୋଳିବା ନିମନ୍ତେ ତପ୍ତରତାର ସହ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ମିଶ୍ର ଆଶା ପ୍ରକାଶ କରିଥିଲେ, ଭୁବନେଶ୍ୱର ରୁ ସ୍ବର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ









