୧୯୬୫ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ହିରୋ ଭାରତୀୟ ବାୟୁସେନାର ପୂର୍ବତନ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଲଫ୍ରେଡ ଟାଇରନ କୁକ୍ ଙ୍କ ପରଲୋକ

୧୯୬୫ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ବେଙ୍ଗଲ କଲେଇକୁଣ୍ଡା ଉପରେ ଐତିହାସିକ ବିମାନ ଆକ୍ରମଣର ସମ୍ମୁଖୀନ ହୋଇଥିବା ଭାରତୀୟ ବାୟୁସେନାର ପୂର୍ବତନ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଲଫ୍ରେଡ ଟାଇରନ କୁକ୍ ଙ୍କ ପରଲୋକ ହୋଇଛି। ସେ ୮୭ ବର୍ଷ ବୟସରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତୀୟ ବାୟୁସେନା ଶନିବାର ତାଙ୍କ ପରଲୋକ ଖବର ପୁଷ୍ଟି କରିଥିବା ବେଳେ ଏ.ଟି.କୁକ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ବୀର ଚକ୍ର ସମ୍ମାନରେ ସମ୍ବର୍ଦ୍ଧିତ ଫ୍ଲାଇଟ୍ ଲେଫ୍ଟନାଣ୍ଟ କୁକ୍ ଙ୍କୁ ୧୯୬୫ ମସିହା ଯୁଦ୍ଧକାଳରେ ତାଙ୍କର ଅସାଧାରଣ ବୀରତା ଓ ଯୁଦ୍ଧକୌଶଳ ପାଇଁ ମନେ ପକାଯାଏ।

ଆଇଏଏଫ ଏ ନେଇ ଏକ୍ସରେ ଏକ ପୋଷ୍ଟ କରିଥିବା ବେଳେ କଲେଇକୁଣ୍ଡା ଉପରେ ହୋଇଥିବା ବିମାନ ମୁକାବିଲା ଆକ୍ରମକ ବିମାନ ଯୁଦ୍ଧକଳା ଓ ଦୃଢ ସଂକଳ୍ପର ଏକ ଉଲ୍ଲେଖନୀୟ ଉଦାହରଣ ଥିଲା ବୋଲି ଉଲ୍ଲେଖ କରିଛି। ବାୟସେନା କହିଛି ଯେ କୁକ୍ ବ୍ୟକ୍ତିଗତ ସୁରକ୍ଷାର ପରୁଆ ନ କରି ଅସାଧାରଣ ସାହାସ ଓ ସାମରିକ କୁଶଳତାର ପ୍ରଦର୍ଶନ କରିଥିଲେ। ତାଙ୍କ ସୌର୍ଯ୍ୟ ଲାଗି ତାଙ୍କୁ ବୀର ଚକ୍ର ପ୍ରଦାନ କରାଯାଇଥିଲା। ବାୟୁସେନା ଉଲ୍ଲେଖ କରିଛି ଯେ ତାଙ୍କ ସ୍ମୃତି ଆଗାମୀ ପିଢୀର ଏଫାଇଟର ପାଇଲଟଙ୍କୁ ପ୍ରେରିତ କରିବ।

୭ ସେପ୍ଟେମ୍ବର ୧୯୬୫ ମସିହାରେ ପାକିସ୍ତାନ ବାୟୁସେନା ପଶ୍ଚିମବଙ୍ଗ ଖଡଗପୁର ନିକଟ କଲେଇକୁଣ୍ଡା ଏୟାରଷ୍ଟେସନ ଉପରେ ଅଚାନକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବାୟୁସେନା ଘାଟିରେ ଛିଡା ହୋଇ ରହିଥିବା ଅନେକ ବିମାନ ନଷ୍ଟ ହୋଇଥିଲା। ଏହାପରେ ପାକିସ୍ତାନୀ ବାୟୁସେନା ଦ୍ୱିତୀୟବାର ଆକ୍ରମଣ କରିବା ଲାଗି ଏଫ-୮୬ ସେଭର ଫାଇଟରଜେଟ୍ ସ୍କ୍ୱାଡ୍ରନ ପଠାଇଥିଲା। ସେହି ସମୟରେ ଆଇଏଏଫର ଚତୁର୍ଦ୍ଦଶ ସ୍କ୍ୱାଡ୍ରନର ଫ୍ଲାଇଟ ଲେଫ୍ଟନାଣ୍ଟ କୁକ୍ ଓ ଫ୍ଲାଇଂ ଅଫିସର ସୁବୋଧଚନ୍ଦ୍ର ମାମଗେନ ହଣ୍ଟର ବିମାନରେ ପାଟ୍ରୋଲିଂ କରୁଥିଲେ। ଉଭୟ ଆକ୍ରମଣକାରୀ ବିମାନଙ୍କୁ ରୋକିବାକୁ ଉଦ୍ୟମ କରିଥିଲେ।

ଏହି ଯୁଦ୍ଧରେ କୁକ୍ ଙ୍କୁ ଏକାକୀ ୪ଟି ଯୁଦ୍ଧ ବିମାନର ସମ୍ନା କରିବାକୁ ପଡିଥିଲା। ଅଳ୍ପ ଉଚ୍ଚତାରେ ହୋଇଥିବା ଏହି ସଂଘର୍ଷରେ ସେ କେତେକ ବିମାନକୁ ଟାର୍ଗେଟ୍ କରିଥିଲେ। ଏଥିରେ ସେ ଗୋଟିଏ ଏଫ-୮୬ସେଭରକୁ ଗୁଳିକରି ଖସାଇ ଦେଇଥିବା ବେଳେ ଅନ୍ୟ ୨ଟିକୁ କ୍ଷତିଗ୍ରସ୍ତ କରିଥିଲେ।