ଓଡ଼ିଶାକୁ ସେମି କଣ୍ଡକ୍ଟର ହବରେ ପରିଣତ କରାଯିବ । ଦିଲ୍ଲୀରେ ସେମିକନ ଇଣ୍ଡିଆ-୨୦୨୬ରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶ୍ବସ୍ତରୀୟ କମ୍ପାନୀ ଇଣ୍ଟେଲ ଓ 3DGS ମଧ୍ୟରେ ଯେଉଁ ଏମଓୟୁ ସ୍ବାକ୍ଷର ହୋଇଛି, ତାହା ଜରିଆରେ ଓଡ଼ିଶାରେ ବ୍ୟାପକ ନିବେଶ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହା ଦ୍ବାରା ପ୍ରାୟ ୩୦ ହଜାର ୫୫୦ କୋଟି ଟଙ୍କାର ନିବେଶ ଆସିବା ସହ ୧୮୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ । ନରାଜରେ ହେବ ସିଲିକନ ଭ୍ୟାଲି । ଏଥିପାଇଁ ରାଜ୍ୟ ସରକାର ୮୭୦ ଏକର ଜମି ଯୋଗାଇଦେବେ । ୨ଟି ପ୍ରକଳ୍ପ ସହ ଓଡ଼ିଶା ସରକାର ପ୍ରାୟ ୧୧ ହଜାର କୋଟି ଟଙ୍କାର ୫ଟି ସେମି କଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହା ଦ୍ବାରା ପ୍ରାୟ ୪ ହଜାର ୫ଶହ ପ୍ରତ୍ୟକ୍ଷ ଏବଂ ୧୬ ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ।
ଭୁବନେଶ୍ବରରେ ସ୍ଥାପିତ ସିଲିକନ କାର୍ବାଇଡ ୱେଫର ମାନୁଫାକଚରିଂ କାମ ପ୍ରାୟ ସରିଆସିଲାଣି । ଖୁବଶୀଘ୍ର ଉତ୍ପାଦନ ହେବ ବୋଲି କୁହାଯାଇଛି । ଦିଲ୍ଲୀରେ ସେମିକନ ଇଣ୍ଡିଆ-୨୦୨୬ରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ଓଡ଼ିଶା ଷ୍ଟଲ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ମୁଖ୍ୟ ଶାସନ ସଚିବଙ୍କ ସମେତ ଓଡ଼ିଶା ପ୍ରତିନିଧିମଣ୍ଡଳୀ ।
ସେମିକଣ୍ଡକ୍ଟର କ୍ଷେତ୍ରରେ ରାଜ୍ୟରେ ପୁଞ୍ଜି ନିବେଶ ନେଇ ବିଭିନ୍ନ ଶିଳ୍ପପତିଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗାମୀ ଦିନରେ ଓଡିଶାକୁ ସେମି କଣ୍ଡକ୍ଟର କ୍ଷେତ୍ରରେ ଫୋକସ କରାଯାଉଛି । କେନ୍ଦ୍ର ସରକାର ଏଥିପାଇଁ ଓଡ଼ିଶାକୁ ସହଯୋଗ ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରକୁ ବଢାଯାଉଛି ।









