ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନାଲଖେଡାରେ ଥିବା ମା ବଗଳାମୁଖୀ ମନ୍ଦିର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମନ୍ଦିର ନିକଟରେ ଥିବା ନାଳରେ ପ୍ରବଳ ବର୍ଷା ଜଳ ସ୍ରୋତରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଇଥିବା ଏକ କାର୍ ଭାସି ଯାଇଛି। ଏହି ଦୁର୍ଘଟଣାରେ ଭୁବନେଶ୍ବର ସ୍ଥିତ ଜୟଦେବ ବିହାରର ଗୋଟିଏ ପରିବାରର ତିନି ଜଣ ଶିଶୁ, ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷ ମୃତ୍ୟୁ ଘଟିଛି। ତାଙ୍କ ସହ ଥିବା ସ୍ଥାନୀୟ ଏକ ଟ୍ରାଭେଲ ଏଜେନ୍ସିର ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଉଭୟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି ।ଉପଲବ୍ଧ ସୂଚନା ଅନୁଯାୟୀ,ସେମାନେ ଉଜ୍ଜୟିନୀରୁ କାର ଭଡ଼ାରେ ନେଇ ମା’ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ନାଲଖେଡାରେ ପହଞ୍ଚିଥିଲେ। ନାଲଖେଡା ଅଞ୍ଚଳରେ ରାତିସାରା ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଝରଣା ପାଣିର ପ୍ରବାହ ସ୍ତର ବଢ଼ିଯାଇଥିଲା। ଦର୍ଶନ ପରେ ଫେରୁଥିବା ସମୟରେ କାରଟି ପ୍ରବଳ ଜଳ ସ୍ରୋତରେ ଫସି ଯାଇଥିଲା ଏବଂ ଭାସି ଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପ୍ରଶାସନିକ ଅଧିକାରୀ ଏବଂ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁତ ଚେଷ୍ଟା ପରେ ସେଠାରୁ କାରକୁ ବାହାର କରାଯାଇଥିଲା। ତେବେ ସେତେବେଳେକୁ ସେଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। କଲେକ୍ଟର ଶେର ସିଂହ ମୀନା ଏବଂ ଏସପି ଦିଲୀପ କୁମାର ସୋନିଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ନାଲଖେଡାରେ ୩.୭ ଇଞ୍ଚ ବର୍ଷା ରେକର୍ଡ କରାଯାଇଛି, ବିଶେଷକରି ରାତିରେ ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି। ମୃତକ ମାନେ ହେଲେ ଜୟଦେବ ବିହାର ନିବାସୀ ବନମାଳି ବେହେରାଙ୍କ ପୁ୍ଅ ଶିବପ୍ରସାଦ ବେହେରା, ଝିଅ ରୀତାରାଣୀ ବେହେରା ଓ ରାଧାରାଣୀ ବେହେରା, ଜ୍ବାଇଁ ଜ୍ଞାନେନ୍ଦ୍ର ବେହେରା ଏବଂ ତିନି ନାତି ନାତୁଣୀ ।
ମୁଖ୍ୟମନ୍ତ୍ରୀଙ୍କ ଶୋକ
ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ପ୍ରାଣ ହରାଇବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କର ସଦ୍ଗତି କାମନା କରୁଛି।
ଘଟଣା ସମ୍ପର୍କରେ ମଧ୍ୟପ୍ରଦେଶ ସରକାର ତଥା ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ସମନ୍ୱୟ ରକ୍ଷା କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଉଦ୍ଧାର ଓ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପାର୍ଥିବ ଶରୀରକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରି ଦୁଃଖଦ ମୁହୂର୍ତ୍ତରେ ରାଜ୍ୟ ସରକାର ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି।
ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମଧ୍ୟପ୍ରଦେଶର ଆଗର ମାଲୱାରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ (PMNRF)ରୁ ୨ ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।









