ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ,ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଦୃଢ଼ ସଂକଳ୍ପ ଓ ନିରନ୍ତର କର୍ମଯୋଗର ପ୍ରତୀକ ନରେନ୍ଦ୍ର ମୋଦ ନିଜ ଜୀବନର ୭୬ତମ ବର୍ଷରେ ପଦାର୍ପଣ କରିଛନ୍ତି । ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ମୂଳମନ୍ତ୍ର ନେଇ ଭାରତକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଗୁଜରାଟର ଏକ ସାଧାରଣ ପରିବାରରୁ ଆରମ୍ଭ ହୋଇ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ‘ପ୍ରଧାନ ସେବକ’ ହେବା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅତୁଳନୀୟ ପ୍ରେରଣା । ତାଙ୍କ ଜନ୍ମଦିନ କେବଳ ଏକ ବ୍ୟକ୍ତିଗତ ଉତ୍ସବ ନୁହେଁ, ବରଂ ସାରା ଦେଶ ପାଇଁ ସେବା ଦିବସ । କେବଳ ସେତିକି ନୁହଁ, ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ, ୨୫ ବର୍ଷର ଶାସନ ଯାତ୍ରାର ନୂଆ ମାଇଲଖୁଣ୍ଟ ନିକଟରେ ନରେନ୍ଦ୍ର ମୋଦି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ ସାମାଜିକ ଗଣମାଧ୍ୟମ X ରେ ପୋଷ୍ଟ କରିଛନ୍ତି ।

ସେପଟେ ଆଜି ବାରଣାସୀରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମହାମେଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବାରଣାସୀରେ ଏକାଠି ହେବେ ସମସ୍ତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ବାରଣାସୀ ଲୋକସଭା ଆସନରୁ ମୋଦି ପ୍ରତିନିଧିତ୍ବ କରୁଥିବାରୁ ସେଠାରେ ଏକତ୍ରିତ ହୋଇ ଜନ୍ମଦିନ ପାଳନ କରିବେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମ୍ମତି ଜଣାଇସାରିଛନ୍ତି ।

ଏହି ଅବସରରେ ବିଜେପି ପକ୍ଷରୁଆଜିଠୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରାଯିବ । ଏଥିରେ ସେବା ସହ ଜଡ଼ିତ କାର୍ଯ୍ୟକ୍ରମ ସହ ଲୋକଙ୍କ ସହ ସାମିଲ ହେବାକୁ ଯୋଜନା ରହିଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଜନ୍ମସ୍ଥାନ ଗୁଜରାଟର ବଡ଼ନଗର ଠାରୁ ବାରଣାସୀ ମଧ୍ଯରେ ଦୁଇଟି ବାଇକ ରାଲି ବାହାରିବ । ବଡ଼ନଗରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାଇକ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ବିଜେପି ସଭାପତି ଜଗଦୀଶ ବିଶ୍ବକର୍ମା ଓ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ଉପସ୍ଥିତ ରହିବେ । ଏହି ବାଇକ ରାଲି ୧୦ଟି ରାଜ୍ୟର ୧୯୩ ଜିଲ୍ଲା ଅତିକ୍ରମ କରିବେ । ବାରଣାସୀ ଠାରେ ସେବା ସଂକଳ୍ପ ଅଭିଯାନ ନେଇ ଗଣମାଧ୍ୟମକୁ ସମ୍ବୋଧିତ କରିବେ ରାଜନାଥ ସିଂ ।