ଆମେରିକାରେ ରହୁଥିବା ୯ ଲକ୍ଷ ପ୍ରବାସୀଙ୍କ ପରମିଟ ରଦ୍ଦ

ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଆମେରିକାରେ ରହୁଥିବା ପ୍ରାୟ ୯ ଲକ୍ଷ ପ୍ରବାସୀଙ୍କୁ ଏକ ବଡ଼ ଝଟକା ଦେଇଛି। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ପ୍ରଚଳିତ ସିବିପି ୱାନ୍ ଆପ୍ ନୀତି ମାଧ୍ୟମରେ ଏହି ପ୍ରବାସୀମାନେ ଆମେରିକା ଆସିଥିଲେ। ଟ୍ରମ୍ପ୍ ପ୍ରଶାସନ ବାଇଡେନଙ୍କ ନୀତିକୁ ପରିବର୍ତ୍ତନ କରିଛି ଏବଂ ଏହି ପ୍ରବାସୀମାନଙ୍କର ଆମେରିକାରେ ରହିବା ପାଇଁ ଆଇନଗତ ଅନୁମତିକୁ ସମାପ୍ତ କରିଛି। ଆମେରିକାର ଗୃହ ସୁରକ୍ଷା ବିଭାଗ (ଡିଏଚଏସ)  ଜାରି ଏକ ବିବୃତିରେ କହିଛି ଯେ, ସିବିପି ୱାନ୍ ଆପ୍ ମାଧ୍ୟମରେ ଚିହ୍ନଟ ହୋଇଥିବା ପ୍ରବାସୀମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ପଡିବ।

ଆସୋସିଏଟେଡ୍ ପ୍ରେସ୍ ତାର ରିପୋର୍ଟରେ କହିଛି ଯେ, ଇମେଲ୍ ମାଧ୍ୟମରେ ଲୋକଙ୍କୁ ଆମେରିକା ଛାଡିବାକୁ କୁହାଯାଉଛି। ଏକ ଆଇନଗତ ସହାୟତା ଗୋଷ୍ଠୀ ଅଲ୍ ଓଟ୍ରୋ ଲାଡୋ କହିଛି, ନୋଟିସ୍ ପାଇଥିବା ଅଧିକାଂଶ ଲୋକ ହଣ୍ଡୁରାସ୍, ଏଲ୍ ସାଲଭାଡୋର ଏବଂ ମେକ୍ସିକୋର। ନୋଟିସ୍ ପାଇବା ପରେ ଏହି ଲୋକମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏହି ଲୋକମାନେ ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ଘେରି ରହିଛନ୍ତି।

ଚଳିତ ବର୍ଷ ଜାନୁଆରିରେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ଯେଉଁ ନୀତିଗୁଡ଼ିକ ଉପରେ ସର୍ବାଧିକ ଧ୍ୟାନ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନ୍ୟ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବା ଏବଂ ଆମେରିକାରୁ ବିଦେଶୀମାନଙ୍କୁ ବାହାର କରିବା। ଟ୍ରମ୍ପ୍ ପ୍ରଶାସନ ବାଇଡେନଙ୍କ ସମୟର ଅନେକ ନୀତିରେ ପରିବର୍ତ୍ତନ ଆଣିଛି, ଯାହା ମାନବିକତା ଦୃଷ୍ଟିରୁ ବିଦେଶୀମାନଙ୍କୁ ଆମେରିକାରେ ଶରଣ ନେବାକୁ ଅନୁମତି ଦେଇଥିଲା।

ଟ୍ରମ୍ପ୍ ପ୍ରଶାସନ ୨୪ ଏପ୍ରିଲରୁ କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାର ୫,୩୨,୦୦୦ ପ୍ରବାସୀଙ୍କ ପାଇଁ ଆମେରିକାରେ ଶରଣ କାର୍ଯ୍ୟକ୍ରମ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ଟ୍ରମ୍ପ୍ ପ୍ରଶାସନ ୧.୧ ନିୟୁତ ଲୋକଙ୍କ ପାଇଁ ଅସ୍ଥାୟୀ ସୁରକ୍ଷିତ ସ୍ଥିତି (ଟିପିଏସ) ମଧ୍ୟ ସମାପ୍ତ କରିଛି। ଏମାନଙ୍କ ମଧ୍ୟରେ ମୁଖ୍ୟତଃ ଭେନେଜୁଏଲା ଏବଂ ହାଇତିର ଲୋକମାନେ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଟ୍ରମ୍ପ୍ ପ୍ରଶାସନ ବେଆଇନ ପ୍ରବାସୀମାନଙ୍କ ବିରୁଦ୍ଧରେ ମଧ୍ୟ ଏକ ଅଭିଯାନ ଆରମ୍ଭ କରିଛି।