ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ରେ ଶକ୍ତିଶାଳୀ ବିସ୍ଫୋରଣ , ୮ ମୃତ ୧୨ ହସ୍ପିଟାଲରେ ଚିକିତ୍ସିତ

ଦିଲ୍ଲୀର ଐତିହାସିକ ଲାଲକିଲ୍ଲା (Red Fort) ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ ନିକଟ ପାର୍କିଂରେ ସୋମବାର ସନ୍ଧ୍ୟାରେ ଏକ କାର୍‌ରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଅତିକମ୍‌ରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇ ହସ୍ପିଟାଲରେ (LNJP) ଚିକିତ୍ସିତ ହେଉଛନ୍ତି। ସନ୍ଧ୍ୟା ୬:୫୫ରେ ହୋଇଥିବା ବିସ୍ଫୋରଣ ପରେ ଉକ୍ତ କାର୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା ଏବଂ ଆଉ ୮ଟି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇ ଜଳିଯାଇଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ୨୦ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ।ଏହି ଘଟଣା ପରେ ଦିଲ୍ଲୀ ସମେତ ମୁମ୍ବାଇରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ NIA (ଜାତୀୟ ଅନୁସନ୍ଧାନ ଏଜେନ୍ସି) ଏବଂ NSG (ଜାତୀୟ ସୁରକ୍ଷା ଗାର୍ଡ) ଟିମ୍ ବିସ୍ଫୋରଣସ୍ଥଳରେ ପହଞ୍ଚି ତନାଘନା କରୁଛନ୍ତି।ବିସ୍ଫୋରଣର ପ୍ରକୃତ କାରଣ ଉପରେ ତଦନ୍ତ ଚାଲିଥିବାବେଳେ, ପୋଲିସ୍ ଏହାକୁ କିଛି ଘଣ୍ଟା ପୂର୍ବରୁ ଠାବ ହୋଇଥିବା ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ସହ ଯୋଡ଼ି ଦେଖୁଛି।ଜମ୍ମୁ-କାଶ୍ମୀର ଏବଂ ହରିୟାଣା ପୋଲିସ୍ ଏକ ମିଳିତ ଅଭିଯାନରେ ୨,୯୦୦ କିଲୋଗ୍ରାମରୁ ଅଧିକ ଆମୋନିୟମ ନାଇଟ୍ରେଟ୍ (ବୋମା ତିଆରି ସାମଗ୍ରୀ) ଜବତ କରିଥିଲେ।ଫରିଦାବାଦର ଡାକ୍ତର ମୁଜାମିଲ ଶକିଲ୍ ଓ ଅନ୍ୟମାନେ ଗିରଫ ହୋଇଥିବା ବେଳେ ଜଣେ ମହିଳା ଡାକ୍ତରଙ୍କ ଗାଡ଼ିରୁ ଆସଲ୍ଟ ରାଇଫଲ୍ ଜବତ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହି ମଡ୍ୟୁଲ୍ ଜବତ ବିସ୍ଫୋରକରୁ IED ତିଆରି କରି ଦିଲ୍ଲୀକୁ ଟାର୍ଗେଟ୍ କରିବାକୁ ଯୋଜନା କରିଥିଲା। ପୋଲିସ୍ ବର୍ତ୍ତମାନ ଲାଲକିଲ୍ଲା ବିସ୍ଫୋରଣର ସମ୍ପର୍କ ଏହି ଆତଙ୍କବାଦୀ ମଡ୍ୟୁଲ୍ ସହ ଅଛି କି ନାହିଁ, ତାହା ଅନୁସନ୍ଧାନ କରୁଛି।