ରଥଯାତ୍ରା ଦଳାଚକଟା ରିପୋର୍ଟ ନେଇ ଆଇନ୍ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ । ଖୁବ୍ ଶୀଘ୍ର ଏହି ରିପୋର୍ଟ ପ୍ରକାଶ କରାଯିବ । ଉନ୍ନୟନ କମିଶନର ଅନୁଗର୍ଗ ଏନେଇ ରିପୋର୍ଟ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପଦକ୍ଷେପ ନେବେ। ସେହି ଅନୁସାରେ କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବ ସରକାରରେ ୨୩ ଟି ରିପୋର୍ଟ ଚାପିଥିଲେ। ଆମେ ସେହି ଲାଇନ୍ ରେ ଯିବୁନାହିଁ । ରଥଯାତ୍ରା ସମୟରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଜଗନ୍ନାଥ ପ୍ରେମୀ କ୍ଷୁବ୍ଧ ହୋଇଥିଲେ।
ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳଚକଟା ଘଟଣା ରାଜ୍ୟ ସରକାରଙ୍କୁ ବ୍ୟଥିତ କରିଥିଲା । ସମସ୍ତ ପ୍ରକାର ପ୍ରସ୍ତୁତି ସତ୍ତ୍ବେ ଏତେ ବଡ଼ ଅଘଟଣ ଘଟିଥିବାରୁ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ଅକ୍ଷମଣୀୟ କହିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ସହ ବଡ଼ ବୈଠକ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଶରଧାବାଲି ଅଘଟଣ ପରେ ତତକ୍ଷଣାତ ବଦଳିଗଲେ ପୁରୀ ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳ ସିଦ୍ଧାର୍ଥ ସ୍ୱାଇଁଙ୍କ ସ୍ଥାନରେ ଚଞ୍ଚଲ ରାଣା ନୂଆ ଜିଲ୍ଲାପାଳ ହୋଇଥିବାବେଳେ ବିନୀତ ଅଗ୍ରଓ୍ୱାଲଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ଏସପି ଦାୟିତ୍ୱ ଦିଆଗଲା । ଘୋଷଣାର କିଛି ସମୟ ମଧ୍ୟରେ ଉଭୟ ନୂଆ ଜିଲ୍ଲାପାଳ ଓ ଏସପି ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ।









