ପ୍ରାର୍ଥନା ପରେ ପ୍ରଧାନଶିକ୍ଷକଙ୍କ ଘୁଙ୍ଗୁଡ଼ି; ଶିକ୍ଷକଙ୍କ ଶୋଇବା ଦେଖିବାକୁ ସ୍କୁଲରେ ଜମୁଛି ଅଭିଭାବକଙ୍କ ଭିଡ଼

ବିଦ୍ୟାଳୟ ନା ‘ନିଦ୍ରାଳୟ’: ଶ୍ରେଣୀଗୃହରେ ଶୋଉଛନ୍ତି ପ୍ରଧାନଶିକ୍ଷକ, ଅନ୍ଧାରରେ କାଳିକା ପ୍ରସାଦ ସ୍କୁଲ ପିଲାଙ୍କ ଭବିଷ୍ୟତ

ହିନ୍ଦୋଳ, ୧୮/୦୧ : ଶିକ୍ଷାଦାନ ଯାହାଙ୍କର ପେଶା, ଶୋଇବା ତାଙ୍କର ନିଶା। ବିଦ୍ୟାଳୟକୁ ପିଲାମାନେ ପାଠ ପଢ଼ିବାକୁ ଆସୁଥିବା ବେଳେ ପ୍ରଧାନଶିକ୍ଷକ କିନ୍ତୁ ଆସୁଛନ୍ତି ନିଦ୍ରା ଦେବୀଙ୍କ ଆରାଧନା କରିବାକୁ। ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଟଳା ପଞ୍ଚାୟତର କାଳିକା ପ୍ରସାଦ ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ପ୍ରଧାନଶିକ୍ଷକଙ୍କ ଏହି ‘ନିଦ୍ରା’ ଯୋଗୁଁ ଏବେ କୋମଳମତି ଶିଶୁଙ୍କ ଭବିଷ୍ୟତ ଅନ୍ଧାର ଅଭିମୁଖେ ଗତି କରୁଛି।

ପ୍ରାର୍ଥନା ପରେ ଆରମ୍ଭ ହୁଏ ନିଦ୍ରା 

ଅଭିଯୋଗ ଅନୁଯାୟୀ, ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିନାଥ ବିଶ୍ୱାଳ ପ୍ରତିଦିନ ସ୍କୁଲ ଆସି ପ୍ରାର୍ଥନା ସରିବା ମାତ୍ରେ ଶୋଇଯାଉଛନ୍ତି। କେବଳ ଅଫିସ ରୁମ୍ ନୁହେଁ, ଶ୍ରେଣୀଗୃହରେ ପିଲାଙ୍କ ସାମ୍ନାରେ ମଧ୍ୟ ସେ ନିଘୋଡ଼ ନିଦରେ ଶୋଇବାକୁ ପଛାଉ ନାହାନ୍ତି। ପାଠ ପଢ଼ାଇବା ପରିବର୍ତ୍ତେ ଶୋଇବା ତାଙ୍କର ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇଛି। ଶିକ୍ଷକଙ୍କ ଏହି ଅଜବ କାରନାମା ଦେଖିବା ପାଇଁ ଏବେ ବିଦ୍ୟାଳୟକୁ ପାଠ ପଢ଼ା ଅପେକ୍ଷା ଅଭିଭାବକଙ୍କ ଭିଡ଼ ଅଧିକ ହେଉଛି।

ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ବିଦ୍ୟାଳୟଟି ଏବେ ଏକ ପ୍ରକାର ‘ଅଭିଶପ୍ତ’ ପାଲଟିଯାଇଛି। ଯେଉଁ ଶିକ୍ଷକମାନେ କାମରେ ଅବହେଳା କରନ୍ତି, ଶାରୀରିକ ଅକ୍ଷମ କିମ୍ବା ଉପରସ୍ତ ଅଧିକାରୀଙ୍କୁ ବେଖାତିର କରନ୍ତି, ସେମାନଙ୍କୁ ଦଣ୍ଡସ୍ୱରୂପ ଏହି ବିଦ୍ୟାଳୟକୁ ପଠାଯାଉଥିବା ଚର୍ଚ୍ଚା ହେଉଛି। ଫଳରେ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେତେବେଳେ ଶିକ୍ଷକ ଅନୁପସ୍ଥିତ ରହୁଛନ୍ତି ତ କେତେବେଳେ ମନଇଚ୍ଛା ଛୁଟି କରି ଦିଆଯାଉଛି।

ପ୍ରଶାସନ ନୀରବ, ଆନ୍ଦୋଳନ ଚେତାବନୀ

ଏହି ନିଦ୍ରାଳୁ ଶିକ୍ଷକଙ୍କ ସମ୍ପର୍କରେ ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନି। ଶିକ୍ଷକଙ୍କୁ କେଉଁଠିକି ବଦଳି କରାଯିବ, ସେ ନେଇ ପ୍ରଶାସନ ମଧ୍ୟ ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି। ଅନ୍ୟପଟେ, ତୁରନ୍ତ ଏହି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଅଭିଭାବକମାନେ ନିଜ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *