ନୂତନ ବିଜେପି ସଭାପତିଙ୍କୁ ସୁଭଦ୍ରା ମିଶ୍ରଙ୍କ ଶୁଭେଚ୍ଛା: ‘ନୀତିନ ନବୀନଙ୍କ ନେତୃତ୍ୱରେ ଦଳ ପାଇଁ ଆରମ୍ଭ ହେବ ଏକ ନୂତନ ଯୁଗ’

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର (ବିଜେପି) ନୂତନ ରାଷ୍ଟ୍ରୀୟ ସଭାପତି ଭାବେ ନୀତିନ ନବୀନ ଦାୟିତ୍ୱ ଗ୍ରହଣ କରିଥିବାରୁ ସମାଜସେବୀ ତଥା ବିଜେପି ନେତ୍ରୀ ସୁଭଦ୍ରା ମିଶ୍ର ତାଙ୍କୁ ସ୍ୱାଗତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦୋନ୍ନତି ଦଳ ପାଇଁ ଏକ ନୂତନ ଯୁଗର ଆରମ୍ଭ ବୋଲି ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ନୀତିନ ନବୀନଙ୍କ ଦକ୍ଷ ନେତୃତ୍ୱରେ ବିଜେପି ଜାତୀୟ ସ୍ତରରେ ଆହୁରି ଅଧିକ ଶକ୍ତିଶାଳୀ ହେବ। ବିଶେଷ କରି ତାଙ୍କ ଭଳି ଜଣେ ଯୁବ ନେତୃତ୍ୱ ଦ୍ୱାରା ସାରା ଦେଶରେ ବିଜେପିର ସାଂଗଠନିକ କାର୍ଯ୍ୟାବଳୀ ଏକ ନୂତନ ଶିଖର ଛୁଇଁବ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି। ନୂତନ ସଭାପତିଙ୍କ ସାଂଗଠନିକ ଦକ୍ଷତା ଉପରେ ଆଲୋକପାତ କରି ଶ୍ରୀମତୀ ମିଶ୍ର ଉଲ୍ଲେଖ କରିଛନ୍ତି ଯେ: ନୀତିନ ନବୀନ ଦୀର୍ଘ ଦିନ ଧରି ବିଜେପିର ଜଣେ ନିଷ୍ଠାପର କାର୍ଯ୍ୟକର୍ତ୍ତା ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇ ଆସିଥିଲେ।  ବିହାରରେ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ଏବଂ ସେଠାରେ ବିଜେପି ସରକାର ଗଠନ କରିବାରେ ତାଙ୍କର ଦୂରଦର୍ଶୀ ରଣନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା।  ପୂର୍ବରୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରିବା ପରେ ଏବେ ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ସଭାପତି ଭାବେ ନିଯୁକ୍ତ ହେବା ସମଗ୍ର ଦଳ ପାଇଁ ଗୌରବର ବିଷୟ।  ଏହି ନୂତନ ଯାତ୍ରା ଅତ୍ୟନ୍ତ ସଫଳ ହେଉ ବୋଲି ସୁଭଦ୍ରା ମିଶ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *