ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କିଛି ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରାଯାଇଛି। ଏହି ସ୍ମାର୍ଟ ଫୋନ୍ ରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ଆପ ରହିଛି। ଏହି ସ୍ମାର୍ଟ ଫୋନ ଜରିଆରେ ଗାଁ ଗାଁ ରେ ଅଙ୍ଗନୱାଡି କର୍ମୀ ମାନେ ହିତାଧିକାରୀଙ୍କୁ ବିଭାଗର ବିଭିନ୍ନ ଯୋଜନା ବାବଦରେ ଅବଗତ କରିବା ସହ ସମସ୍ୟାର ସମାଧାନ କରି ପାରିବେ।
ଓଡ଼ିଶା ସରକାର ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପ୍ରାୟ ୮୦,୦୦୦ ସ୍ମାର୍ଟଫୋନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶିଶୁ ଏବଂ ମା’ମାନଙ୍କର ପୋଷଣ ସ୍ଥିତିର ସଠିକ ତଥା ପ୍ରଭାବଶାଳୀ ତଦାରଖ ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।
ଏହି ସ୍ମାର୍ଟଫୋନ ସାହାଯ୍ୟରେ ‘ପୋଷଣ ଅଭିଯାନ’ ର ବିଭିନ୍ନ କାର୍ଯ୍ୟକ୍ରମ, ଯେପରିକି ହିତାଧିକାରୀଙ୍କ ପଞ୍ଜୀକରଣ, ଦୈନନ୍ଦିନ ତଥ୍ୟ ଏଣ୍ଟ୍ରି, ପରିପୂରକ ପୋଷଣ ବଣ୍ଟନର ସମୀକ୍ଷା, ଶିଶୁଙ୍କ ଓଜନ ଓ ଉଚ୍ଚତା ବୃଦ୍ଧିର ମାପ ଏବଂ ପ୍ରାକ-ବିଦ୍ୟାଳୟ ଶିକ୍ଷା ଆଦିର ସହଜ ଏବଂ ଦକ୍ଷ ପରିଚାଳନା କରାଯାଇପାରିବ।







