୧.୬୩ ଲକ୍ଷ ଏସ୍‌ଏଚ୍‌ଜିଙ୍କୁ ଋଣ ଫେରସ୍ତ ପାଇଁ ୧୧୦ କୋଟି

୧ ଲକ୍ଷ ୬୩ ହଜାର ୭୫୭ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଋଣ ଫେରସ୍ତ ବାବଦରେ ୧୧୦ କୋଟି ୯୭ ଲକ୍ଷ ୫୮ ହଜାର ୮୬୦ ଟଙ୍କା ଆର୍ଥିକ ଅନୁଦାନ ପ୍ରେରଣ କରାଯାଇଛି। ଏଥିସହ ମିସନ ଶକ୍ତି ବିଭାଗ ସହ ଫିକ୍‌ସି, ଟିଏସ୍‌ଏସ୍‌ସି, ଜିଜେଏସ୍‌ସିଆଇ ଓ ଏନ୍‌ସିଡବ୍ଲ୍ୟୁର ୪ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ପଦକ୍ଷେପ ଏସ୍‌ଏଚ୍‌ଜି ଉଦ୍ୟୋଗକୁ ଆହୁରି ପ୍ରୋତ୍ସାହନ ଯୋଗାଇବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡ଼ା କହିଲେ, ତୃଣମୂଳ ସ୍ତରରେ ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିସନ ଶକ୍ତି ବିଭାଗ ପଦକ୍ଷେପ ନେଉଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ମିସନ୍‌ ଶକ୍ତି ବିଭାଗ ଫୁଡ୍‌ ଇଣ୍ଡଷ୍ଟ୍ରି କାପାସିଟି ଆଣ୍ଡ୍‌ ସ୍କିଲ୍‌ ଇନିସିଏଟିଭ୍‌ (ଫିକ୍‌ସି) ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୦ ହଜାର ଏସ୍‌ଏଚ୍‌ଜିଙ୍କୁ ଫଳରସ ପ୍ରକ୍ରିୟାକରଣ, ମସଲା ପ୍ରକ୍ରିୟାକରଣ, ତୈଳ ପ୍ରସ୍ତୁତି, ବହୁବିଧ କାରିଗରୀ କୌଶଳ, ଫଳ ଓ ପନିପରିବା ନିର୍ଜଳୀକରଣର ଆବାସିକ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପୁନଶ୍ଚ, ମିସନ୍‌ ଶକ୍ତି ବିଭାଗ ଟେଲିକମ୍‌ ସେକ୍ଟର ସ୍କିଲ୍‌ କାଉନ୍‌ସିଲ୍‌ (ଟିଏସ୍‌ଏସ୍‌ସି) ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି।