ରାଜ୍ୟରେ ସାର ସମସ୍ୟାକୁ ପ୍ରସଙ୍ଗ କରି ବିଜୁ ଜନତା ଦଳ (ବିଜେଡି) ବିଧାନସଭାରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛି। ମୌସୁମୀ ଅଧିବେଶନରେ ବିଜେଡି ନାରୀ ନିର୍ଯାତନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠାଇବ ବୋଲି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ସାର ବଣ୍ଟନରେ ବିଫଳ ହୋଇଛନ୍ତି ସରକାର। ସମବାୟ ସୂତ୍ରରେ ସାର ମିଳୁନାହିଁ। ଚାଷୀମାନେ ଲମ୍ବା ଧାଡ଼ିରେ ରାତିରୁ ଆସି ଠିଆ ହେଉଛନ୍ତି। ଓଡ଼ିଶାର ଜନସାଧାରଣ ଯନ୍ତ୍ରଣାରେ ପେଷି ହେଉଛନ୍ତି। କଲବଜାରୀରେ ତିନି ଗୁଣ ଚାରି ଗୁଣ ଚଢ଼ା ଦରରେ ସାର ମିଳୁଛି। ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ ଠିକ ଭାବେ ହେଉନାହିଁ। ସରକାର କେବଳ ଘୋଷଣା କରିଛନ୍ତି। ବାସ୍ତବରେ କିଛି କରିନାହାନ୍ତି। ତେଣୁ ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।








