ବି କେ ରମେଶ ପଟ୍ଟନାୟକ
ବାବା, ସର୍ବବ୍ୟାପୀ କହିଲେ କଣ ବୁଝାଏ? ପଚାରିଲା ଦଶବର୍ଷର ଉତ୍କର୍ଷ। ଅଗଣାରେ ବସି ସନ୍ଧ୍ୟାର ଶୀତଳ ପବନର ସ୍ପର୍ଶ ଆସ୍ବାଦନ କରୁଥିଲେ ବାବା। ହାତର ସ୍ଲିଭ୍ ଟାଣି ବାବାଙ୍କ ଦୃଷ୍ଟି ଆକର୍ଷଣ କରିବା ଚାହୁଥିଲା ଉତ୍କର୍ଷ।
ସମ୍ବାଦପତ୍ରରୁ ମୁହଁ ଉଠାଇ ଆନନ୍ଦ ମୋହନ ପଚାରିଲେ: ଏବେ କ’ଣ ହେଲା? କିଏ କହିଲା ଏକଥା? କୋଉଠି ଦେଖିଲୁ ‘ସର୍ବବ୍ୟାପୀ’?
ବାବା, ଆଜି ଆମ କ୍ଲାସରେ ମିସ୍ କହିଲେ ଯେ ଭଗବାନ ସବୁଠି ଅଛନ୍ତି ପବନ ଯେମିତି ସବୁଠି ଅଛି ସର୍ବବ୍ୟାପୀ ପରି। ନଦିଶିଲେବି ଭଗବାନ କଣ ସର୍ବବ୍ୟାପୀ ହୋଇପାରିବେ?
ଖବରକାଗଜକୁ ଚାରିଭାଙ୍ଗ କରୁକରୁ ଆନନ୍ଦ ଆମୋଦିତ ହେଲେ। “ଆଚ୍ଛା, ଭଗବାନଙ୍କୁ ସର୍ବବ୍ୟାପୀ କୁହାଯାଏ। ଠିକ୍। ଅନେକ ଧର୍ମରେ ଏମିତି ବିଶ୍ବାସ ଅଛି। କିନ୍ତୁ ବାଇବେଲର ପୁରାତନ ନିୟମରେ ଲେଖାଅଛି ଯେ ଭଗବାନ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଡାକି କହିଲେ ତମେ ଦିହେଁ ପୃଥିବୀ ଚାରିପଟେ ନିରନ୍ତର ଘୁରିବ ଓ ତାହାକୁ ଆଲୋକିତ କରୁଥିବ। ଲୋକେ ସରଳ ଭାବରେ ଏକଥା ବିଶ୍ବାସ କରିଥିଲେ ପନ୍ଦର ଶହ ବର୍ଷ। କିନ୍ତୁ ବିଜ୍ଞାନର ଅଗ୍ରଗତି ପରେ ଦିନେ ଏକଥା ପୁରାପୁରି ଭୁଲ୍ ପ୍ରମାଣିତ ହେଲା।”
ଚିନ୍ତାରେ ଉତ୍କର୍ଷର ଭୃକୁଞ୍ଚନ ଦେଖାଗଲା। “ହଁ ବାବା, ମୁଁ ଜାଣିଛି। ସୂର୍ଯ୍ୟ ଚାରିପାଖରେ ପୃଥିବୀ ଘୁରୁଛି। କିନ୍ତୁ…” ସେ ଟିକିଏ ସଂକୋଚ ପ୍ରକାଶ କଲା। “ପୃଥ୍ବୀ କଣ ଭଗବାନଙ୍କ ଚାରିପାଖରେ ଘୁରି ପାରିବ?”
ଆନନ୍ଦ ଟିକିଏ ଆଗକୁ ଝୁଙ୍କି ପଡି କହିଲେ: “ଯେମିତି ଛୋଟ ସୌରଜଗତ ବିଷୟରେ ଲୋକଙ୍କର ଏତେବଡ ଭୁଲ ଧାରଣା ଥିଲା, ସେମିତି ଭଗବାନଙ୍କ ବିଷୟରେ ସେମାନଙ୍କ ଜ୍ଞାନ ଠିକ୍ ହେବ କେମିତି? ଭଗବାନ ସର୍ବବ୍ୟାପୀ ଏକଥା ଆଦୌ ଠିକ୍ ଲାଗୁନାହିଁ। ତୁ କଣ କହୁଛୁ? ପୃଥିବୀ ଠାରୁ ଭଗବାନଙ୍କ ଆକାର ବଡ଼ କି ସାନ ନଜାଣି ସେ ସବୁଠି ଅଛନ୍ତି ବୋଲି କେମିତି କହି ପାରିବା?”
ଉତ୍କର୍ଷ ତଳକୁ ମୁହଁ ପୋତି ବାବାଙ୍କ କଥା ଆକଳନ କରୁଥିଲା ତା କ୍ଷୁଦ୍ର ମସ୍ତିଷ୍କରେ। “କିନ୍ତୁ ବାବା, ଭଗବାନ ଯଦି ସବୁଠି ଥାଆନ୍ତେ, ସେ ନିଶ୍ଚୟ ଆମ ଦୁଃଖକଷ୍ଟ ଜାଣିପାରିବେ। ଲୋକେ ତ ଦିନରାତି କେତେ ଭଜନ କୀର୍ତ୍ତନ କରି ଗୁହାରି କରୁଛନ୍ତି। ସେ ସମସ୍ତଙ୍କୁ ସାହାଯ୍ୟ କରୁନାହାଁନ୍ତି କାହିଁକି?”
ଆନନ୍ଦଙ୍କ ମୁହଁର ଭାବ ଟିକିଏ ନରମିଲା। “ହଁ, ସେଇ କଥାତ। ଯଦି ଭଗବାନ ସବୁଠି ଥାଆନ୍ତେ, ମଣିଷ ମାନଙ୍କ କାନ୍ଦ ବୋବାଳି, ଇଥିଓପିଆର ଭୋକ, ପାକିସ୍ତାନର ଦାରିଦ୍ର୍ୟ ସେ ଶୁଣିପାରୁଥାନ୍ତେ। ସେ ଯଦି ଆମ ସମସ୍ୟା ଜାଣୁଛନ୍ତି, ଆମକୁ ସାହାଯ୍ୟ କରୁନାହାଁନ୍ତି କାହିଁକି?”
ଉତ୍କର୍ଷ ବାପାଙ୍କ ଆଡ଼କୁ ଚାହିଁଲା ବିଚଳିତ ହୋଇ। ସଂଶୟାଚ୍ଛନ୍ନ ହେଲା ତାର ମନ। “ତା’ମାନେ ଭଗବାନ ଜାଣିଶୁଣି ଲୋକଙ୍କ ଅଭାବ ଅସୁବିଧାରେ ସାହାଯ୍ୟ କରୁନାହାନ୍ତି… ସଫା ଜଣାପଡିଯାଉଛି।”
ଦୀର୍ଘଶ୍ଵାସ ନେଇ ଆନନ୍ଦମୋହନ ପଶ୍ଚିମ ଆକାଶକୁ ଚାହିଁଲେ ଯେଉଁଠି ସୂର୍ଯ୍ୟ ଗଛପତ୍ର ଉହାଡରେ ଲୁଚି ଯାଉଥିଲେ। “ସେକଥା ଏତେ ସହଜରେ କହିହେବ ନାହିଁ। ଭଗବାନ ଆଦୌ ନାହାନ୍ତି ବୋଲି ମୁଁ କହୁନାହିଁ, କିନ୍ତୁ ମୁଁ ଭାବୁଛି ତାଙ୍କ ସ୍ଥିତି ବିଷୟରେ ଆମର ସଠିକ୍ ଧାରଣା ନାହିଁ। ଏଇ ଦେଖୁନୁ, ସେ ପୃଥିବୀରେ ଅଛନ୍ତି ବୋଲି କହୁଛୁ ତା’ହେଲେ ସେ ଅବତାର ନେଇ ବାରଂବାର ଜନ୍ମ ନେଉଛନ୍ତି କାହିଁକି? ବିଷ୍ଣୁ, ଶ୍ରୀରାମ, ପର୍ଶୁରାମ, ବାମନ ଓ ଶ୍ରୀକୃଷ୍ଣ ଅବତାର କଥା ଆମେ ଜାଣିଛୁ। ଭଗବାନ ଯଦି ସବୁ ସମୟରେ ମଣିଷ ଅବତାର ନେଇ ଜନ୍ମ ହେଉଛନ୍ତି, ତେବେ ସେ ସର୍ବବ୍ୟାପୀ ହେବେ କେମିତି?”
ଆଈମାଙ୍କ କାହାଣୀ ଉତ୍କର୍ଷର ମନେ ପଡିଗଲା। ସେ କହିଲା, “ଠିକ୍। କଷଣରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପରମାତ୍ମା ରାମ ଓ କୃଷ୍ଣ ରୂପରେ ଜନ୍ମ ହୁଅନ୍ତି ବୋଲି ଆଈମା କହୁଥିଲେ ।”
ସମ୍ମତିରେ ମୁଣ୍ଡ ଦୋହଲାଇଲେ ଆନନ୍ଦ। “ଆମ ପୁରାଣରେ ଲେଖା ଅଛିଯେ ଭଗବାନ ସବୁ ସମୟରେ ମର୍ତ୍ତ୍ୟଲୋକରେ ନଥାନ୍ତି। ଅସମୟରେ, ପୃଥିବୀରେ ପାପର ଭାରା ବଢିଗଲେ, ଦୁଷ୍ଟଶକ୍ତିକୁ ଦମନ କରି ଶିଷ୍ଟ ମାନଙ୍କୁ ସୁରକ୍ଷା ଦେବା ପାଇଁ ଭଗବାନ ଉପରୁ ଓହ୍ଲାଇ ଆସନ୍ତି। ଏହା ଲେଖା ଯାଇଛି ଭଗବତ ଗୀତାରେ…”
“ହେଲେ ସେ ଅଛନ୍ତି କେଉଁଠି?” ହତାଶାରେ ପଚାରି ଦେଲା ଉତ୍କର୍ଷ। “ଭଗବାନ ଯଦି ସବୁବେଳେ ଏ ପୃଥିବୀରେ ରହୁନାହାନ୍ତି, ସେ କୋଉଠି ଥାଆନ୍ତି?”
ଆନନ୍ଦ ହସିଲେ ଯଦିଓ ସେଯାଏଁ ତାଙ୍କ ଦୃଷ୍ଟି ନିବିଷ୍ଟ ଥିଲା ଦିଗବଳୟ ଉପରେ। “ତାହା ରହସ୍ୟଜନକ। ସେ ନିରାକାର ଆମେ ଜାଣୁ। ସେ ହୁଏତ ଏମିତି ଏକ ରୂପରେ ଥିବେ ଯାହା ଆମେ କେବେ କଳନା କରିପାରିବା ନାହିଁ। ନହେଲେ ତାଙ୍କୁ ଆମେ ଖୋଜି ବାହାର କରିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଥିବେ…!”
“ଆମେ କଣ ତାଙ୍କୁ ଖୋଜି ପାରିବା? ସେ କୋଉଠି ଅଛନ୍ତି ଓ କେମିତି ଥାଆନ୍ତି ନଜାଣି ତାଙ୍କୁ ଖୋଜିବା କେମିତି?” ଉତ୍କର୍ଷ ଦୋହରାଇଲା। ତାର ଛୋଟ କପାଳରେ ଦୁଇ ଧାଡ଼ିର ଏକ ଭୃକୁଞ୍ଚନ ଦିଶିଲା। “କିନ୍ତୁ ଆମେ କଣ ଦେବତା ହୋଇଛେ ଯେ ତାଙ୍କୁ ଖୋଜି ଦେଇପାରିବା?”
“ନାନା। ଦୁଃଖ କଷ୍ଟ ରୋଗ କିମ୍ବା ଅଭାବରେ ପଡିଲେ ଲୋକେ ପ୍ରଥମେ କଣ କରନ୍ତି? ସେମାନେ ଭଗବାନଙ୍କୁ ଡାକନ୍ତି ନା ଅନ୍ୟମାନଙ୍କ ସହାୟତା ଲୋଡ଼ନ୍ତି?”
“ସେମାନେ ବାପାମାଆ, ସାଙ୍ଗ ବା ପଡୋଶୀଙ୍କ ସାହାଯ୍ୟ ଲୋଡ଼ନ୍ତି,” କହିଲା ଉତ୍କର୍ଷ ଯେମିତିକି ସେ ମାନବୀୟ ଅସହାୟତାକୁ କ୍ରମଶଃ ବୁଝି ପାରିଲାଣି।
“ବାସ୍। ଠିକ୍ କଥା,” କହିଲେ ଆନନ୍ଦ। ଚିନ୍ତାଗ୍ରସ୍ତ ତାଙ୍କ କଣ୍ଠସ୍ୱର। “ଅସମୟରେ କେହି ସାହାଯ୍ୟ କଲେ, ସାହସ ଦେଲେ କିମ୍ବା ସହାନୁଭୂତି ଜଣାଇଲେ ଆମେ କଣ ଭାବୁ? ଭଗବାନଙ୍କ ରୂପରେ ସେ ଆସି ବାଟ ଦେଖାଇଲେ ବୋଲି କହୁ। ନୁହେଁକି?”
ଉତ୍କର୍ଷର ବୁଦ୍ଧି ଚାଲିବା ଆରମ୍ଭ କଲା। “ତା’ମାନେ କେହି ଆମକୁ ସାହାଯ୍ୟ କଲାବେଳେ ସେଠାରେ ଭଗବାନ ଅଛନ୍ତି ବୋଲି ଭାବିପାରିବା?”
ଆନନ୍ଦ ସମ୍ମତିରେ ମଥା ହଲାଇଲେ। “ଗୋଟେ ଦୃଷ୍ଟିରୁ ତାହା ଠିକ୍। ଭଗବାନ ଯେଉଁ ରୂପରେ ଥିବେ ବୋଲି ଆମେ ଭାବୁଛୁ, ସେଇ ରୂପରେ ସେ ଆଦୌ ନଥାଇ ପାରନ୍ତି। ଅନ୍ୟର ସହାୟତା ପାଇଁ ଆମେ ଯାହା କରୁଛୁ, ସେଇ କର୍ମ ଭିତରେ ସେ ହୁଏତ ଲୁକ୍କାୟିତ ପ୍ରେରଣା ଭାବରେ ଅଛନ୍ତି। ଅନ୍ୟର ଦୁଃସ୍ଥିତିରେ ଦୟା ବା ଅପରର ସଚ୍ଚୋଟପଣିଆର ସମର୍ଥନ ଦେଲାବେଳକୁ ଆମ ଭିତରେ ବି ଭଗବାନଙ୍କ ଅଂଶ କାମ କରୁଥାଏ। ସେମିତି ଆମଦ୍ବାରା ଭଗବତ ଶକ୍ତି ପୃଥିବୀରେ ପ୍ରକଟ ହେଉଥାଏ… ଆମ ଅଜାଣତରେ। ନା କଣ କହୁଛୁ?”
“କିନ୍ତୁ ଅଭାବରେ ପଡ଼ି ଆମେ ପ୍ରାର୍ଥନା କଲେ ସେ ଆମ ଗୁହାରି ଶୁଣନ୍ତି କି?” ଉତ୍କର୍ଷ ପଚାରି ଦେଲା ଅପେକ୍ଷାକୃତ ନରମ ସ୍ବରରେ।
ବାବା ହସିଲେ। “ସେ ଶୁଣନ୍ତୁ ବା ନଶୁଣନ୍ତୁ, ପ୍ରାର୍ଥନା କଲେ ପ୍ରଥମେ ଆମ ମନୋବଳ ଶକ୍ତ ହୁଏ। ସେଥିରୁ ଆମ ଦୃଷ୍ଟି ଶାଣିତ, ମନ ଏକାଗ୍ର ହୁଏ । ଆଶାର ଆଲୋକ ସୁସ୍ପଷ୍ଟ ହୁଏ। କିନ୍ତୁ ଭଗବାନ କେଉଁଠି ବସି ଆମ କଥା ଶୁଣୁଛନ୍ତି କି ନା କହିହେବ ନାହିଁ।”
“ଆମେ ଯାହା ହୃଦୟର ସହ ଚାହୁଛୁ ତାହାକୁ ଅବଶ୍ୟ କରିବାକୁ ହେବ, ଯେତେ ବାଧାବିଘ୍ନ ଆସୁନା କାହିଁକି,” ଆନନ୍ଦ ସଂଯୋଗ କଲେ।
ଉତ୍କର୍ଷ ଚୁପ୍ ହୋଇଗଲା କିଛି ସମୟ। ତାର କିଶୋର ମନ କ୍ରମଶଃ ବିକ୍ଷିପ୍ତ ଚିନ୍ତାଧାରାକୁ ସଂକଳିତ କରି ବସିଲା। ସନ୍ଧ୍ୟାର ଆଲୋକ ଧିରେ ନିସ୍ତେଜ ହେଲାବେଳକୁ ଆକାଶରେ ତାରାଗଣ ମିଞ୍ଜିମିଞ୍ଜି କରି ଜଳିବାକୁ ଲାଗିଲେ। ସେ ଉପରକୁ ଚାହିଁ ବିଭୋର ହେଲା ଯେ ତାର ଅସଂଖ୍ୟ ଅସମାହିତ ପ୍ରଶ୍ନର ଉତ୍ତର ମହାକାଶର ଅନ୍ଧାରରେ ଲୁଚିରହି ଚିକମିକ୍ କରୁଛି।
“ବାବା,” ସେ ଉଚ୍ଚାରଣ କଲା କିଛି ସମୟ ପରେ। ତା ଦୃଷ୍ଟି ସେଯାବତ୍ ନିବଦ୍ଧ ହୋଇଥିଲା ତାରାମାନଙ୍କ ଗହଣରେ। “ସତରେ କଣ ଭଗବାନ ଆକାଶର ଅନେକ ଉପରେ ଥିବେ! ତାରା ମାନଙ୍କ ସହିତ ଲୁଚକାଳି ଖେଳୁଥିବେ?”
ଆନନ୍ଦ ବି ଉପରକୁ ଅନାଇଲେ। ଉଲ୍ଲାସ ଓ ବିଷାଦର ମିଶ୍ରିତ ରଙ୍ଗରେ ତାଙ୍କ ଚେହେରା ଝଲସି ଉଠିଲା। “ହଁ, କେତେକ ବିଶ୍ବାସ କରନ୍ତିଯେ ଉପରେ, ମହାକାଶର ବହୁ ଉପରେ ସେ ଅଛନ୍ତି। ପରମଧାମରେ ଯେଉଁଠି ସୂର୍ଯ୍ୟଚନ୍ଦ୍ର ଓ ନକ୍ଷତ୍ର ମାନଙ୍କ ଆଲୋକ ବି ପହଞ୍ଚି ପାରିବନି। ଆଉ କେତେଜଣ ବିଶ୍ବାସ କରନ୍ତି ଯେ ଭଗବାନ ଗୁଣବାଚକ। ସମସ୍ତଙ୍କ ଭିତରେ ପ୍ରେମ, ପବିତ୍ରତା, ଉଦାରତା, କରୁଣା ଓ ହୃଦୟବତ୍ତା ହୋଇ ସେ ରହିଛନ୍ତି । କିନ୍ତୁ ସତକଥା ହେଉଛି ତାଙ୍କ ବିଷୟରେ ସଠିକ୍ କେହି ଜାଣନ୍ତି ନାହିଁ। ହଜାର ହଜାର ବର୍ଷଧରି ଏ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛନ୍ତି ମୁନିଋଷି ଓ ପଣ୍ଡିତମାନେ। ଧର୍ମାତ୍ମା ଓ ଧର୍ମଗୁରୁମାନେ ଆସିଛନ୍ତି ଓ ଯାଇଛନ୍ତି, କିନ୍ତୁ ଭଗବାନଙ୍କ ଅବସ୍ଥିତିକୁ କେହି ନିରୂପଣ କରିପାରି ନାହାନ୍ତି। ତାଙ୍କ ପ୍ରକୃତ ପରିଚୟ ବି କେହି ପାଇ ନାହାନ୍ତି।”
ଗମ୍ଭୀର ବାବାଙ୍କ ଆଡ଼କୁ ଫେରି ଚାହିଁଲା ଉତ୍କର୍ଷ। “ବାବା, ଭଗବାନଙ୍କ ବିଷୟରେ ଯଦି କେହି ଜାଣିନାହାନ୍ତି, ତେବେ ତାଙ୍କୁ ବିଶ୍ବାସ କରୁଛନ୍ତି କେମିତି?”
“ତାହାହିଁ ବିଶ୍ବାସର ମହନୀୟତା,” କହିଲେ ଆନନ୍ଦ। “ତମେ କେବେ ତାଙ୍କୁ ଦେଖିନାହଁ, ତଥାପି ଭାବୁଛ ସେ ଅଛନ୍ତି। ତାହାହିଁ ବିଶ୍ବାସ। ଆମର ଆଶାଯେ ଆମଠାରୁ ଅଧିକ ଶକ୍ତିବନ୍ତ, ଜ୍ଞାନବନ୍ତ ଓ ଅଧିକ ପ୍ରେମମୟ ଜଣେ ଅଛନ୍ତି ଯେ ଆମକୁ ଚରମ ବିପତ୍ତିରୁ ଉଦ୍ଧାର କରିବେ, ଯଦିଓ ଆମେ ତାଙ୍କ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ।”
ଉତ୍କର୍ଷ ଆଉଥରେ ନିରବିଗଲା। ବାପାଙ୍କ କଥାଶୁଣି ତାର କୋମଳ ନିଷ୍ପାପ ମୁହଁରେ ଚିନ୍ତାର ରେଖା ଖେଳିଗଲା । ସବୁକଥା ବୁଝିଲା ପରି ତାର ଓଠରେ କ୍ଷୀଣ ହସଟିଏ ଫୁଟାଇ ସେ କହିଲା, “କିନ୍ତୁ ମୁଁ ଭାବୁଛି, ଭଗବାନ ବୋଧହୁଏ ସବୁ ଭଲ କଥା, ସତ୍ୟନିଷ୍ଠ ଘଟଣା, ସେବା, ଦାନ ଓ ପରୋପକାର ପରି ଗୁଣ ଭିତରେ ରହିଛନ୍ତି…”
ଆନନ୍ଦ ମୋହନ ପୁଅର ମଥାରେ ଅସ୍ତବ୍ୟସ୍ତ କେଶରେ ଅଙ୍ଗୁଳି ସଂଚାଳନ କରୁକରୁ କହିଲେ: ଠିକ୍। ତୁ ଠିକ୍ ବୁଝିଲୁ। ବାଇବଲରେ ତାଙ୍କୁ କଣ ବର୍ଣ୍ଣନା କରାଯାଇଛି ଜାଣୁ? ସେ ଆଲୋକମୟ ରାଜ୍ୟର ଉଜ୍ଜ୍ୱଳ ରଶ୍ମୀ। ସ୍ବର୍ଗ ଓ ମର୍ତ୍ତ୍ୟକୁ ଯିଏ ତିଆରି କରିଛନ୍ତି ସେ ପ୍ରେମମୟ ଓ ଦୟାବାନ୍। ଦିନ ଆସିବ, ତାଙ୍କୁ ସମସ୍ତେ ଆତ୍ମା ରୁପରେ ପୂଜା କରିବେ।”
ଆଉ କୋରାନରେ ତାଙ୍କ ବିଷୟରେ କିଛି କୁହାଯାଇନି ବାବା?
ନିଶ୍ଚୟ ଅଛି । କୋରାନରେ ଅଛି, ଆଲ୍ଲା ବା ପରମାତ୍ମା ହେଲେ ସ୍ବର୍ଗ ଓ ମର୍ତ୍ତ୍ୟର ଆଲୁଅର ଉତ୍ସ ଯାହା ମଣିଷକୁ ଜ୍ଞାନ, ସତ୍ୟତା ଏବଂ ଶକ୍ତି ଦାନ କରେ। ଆମ ବେଦରେ ମଧ୍ୟ ଅଛି ନତସ୍ୟ ପ୍ରତିମା ଅସ୍ତି ଯସ୍ୟନାମ ମହତଯଶାଃ ଅର୍ଥାତ୍ ପରମାତ୍ମାଙ୍କର କୌଣସି ଚିତ୍ର ବା ପ୍ରତିମା ନାହିଁ, ଅଛି କେବଳ ଗୁଣବତ୍ତା ଯାହାକୁ ଆମେ ଜୀବନରେ ଧାରଣ କରିପାରିବା। ତେଣୁ ସଦଗୁଣ ଜୀବନ୍ତ ମଣିଷ ଭିତରେ ରହିପାରିବ। କାଠ, ପଥର, ଗୋଡି ଓ ପୃଥିବୀ ପରି ଜଡ ଭିତରେ ନୁହେଁ…
ତା’ମାନେ ଭଗବାନ ଜୀବନ ସହିତ ଅଛନ୍ତି, ଆଚରଣ ଓ ଚରିତ୍ର ସାଥିରେ ଅଛନ୍ତି କିନ୍ତୁ ସବୁ ଜଡ ପଦାର୍ଥରେ ନାହାନ୍ତି। ମୁଁ ସର୍ବବ୍ୟାପୀ ଅର୍ଥ ବୁଝିଗଲି ବାବା!
ଆକାଶର ମିଞ୍ଜି ମିଞ୍ଜି ତାରାଙ୍କୁ ଲକ୍ଷ୍ୟକରି ଦିହେଁ ନିରବରେ କିଛି ସମୟ ବସିଲେ। ପବନରେ ଥିଲା ନିରବତା। ପୃଥ୍ବୀ ପଡି ଯାଇଥିଲା ଶାନ୍ତ। ବୋଧହୁଏ ମହାକାଶର ଗଭୀରତା ଭିତରେ ଥିଲା ଏକ ସତ୍ତା ଯାହା କେବଳ ବିଶ୍ବ ବ୍ରହ୍ମାଣ୍ଡର ଉର୍ଦ୍ଧ୍ବରେ ନଥିଲା, ସେଥିଲା ସମସ୍ତଙ୍କ ହୃଦୟରେ ଯେଉଁ ମାନଙ୍କ ପାଖରେ ଅପରକୁ ଭଲପାଇବା ଓ ସାହାଯ୍ୟ କରିବାକୁ ଥିଲା ଆସ୍ପୃହା ଓ ସହାନୁଭୂତି। ସେମାନଙ୍କ ଭିତରେ ଥିଲା ଅଗାଧ ବିଶ୍ବାସ ବି।
ରାତି ଯେତିକି ଗଭୀର ହେଉଥିଲା, ଉତ୍କର୍ଷ ସେତିକି ବାପାଙ୍କ କାନ୍ଧ ଉପରେ ଲଦି ପଡୁଥିଲା। “ବାବା, ଭଗବାନ କଣ ଆମକୁ ଦେଖି ପାରୁଥିବେ?”
ଆନନ୍ଦ ସ୍ବଳ୍ପ ଆମୋଦିତ ହେଲେ। “ହଁ, ଦେଖୁଥାଇ ପାରନ୍ତି। କିମ୍ବା ଆମେ ତାଙ୍କୁ ପ୍ରଥମେ ଦେଖାକରୁ ବୋଲି ସେ ଆମରି ପ୍ରତୀକ୍ଷା କରୁଥିବେ, ପାହାନ୍ତିଆ ପହରଯାଏଁ! ଜାଣିଛୁଟି? ଆମପରି ସିଏ ବି ଏକେଲା ଆତ୍ମାଟିଏ! ତାରାପରି ଆମରି ଖୁସିରେ ସିଏବି ଖୁସୀ। ଚିକମିକ୍ କରୁଥାଏ ସାରାରାତି।”
ଉତ୍କର୍ଷ, ଉତ୍କର୍ଷ… ଶୋଇ ପଡ଼ିଲୁ କି? ଉତ୍କର୍ଷ ଶୋଇ ଯାଇଥିଲା ଗଭୀର ନିଦରେ। ମିଞ୍ଜି ମିଞ୍ଜି ତାରା ପରି, ସୁଷୁପ୍ତିରେ।
—
ଶୋଭନା ବିଷୁବ ୨୦୨୫







