ଜୟ ‌ଢୋଲକିଆ କହିଲେ ଏଥର ବିଜେପି ଜିତିବ

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ। ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ। ୧୬ ତାରିଖରେ ନାମାଙ୍କନ ଭରିବେ ଜୟ। ଜୟ ‌ଢୋଲକିଆଙ୍କ ନାମାଙ୍କନରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଲୋକକଲ୍ୟାଣକାରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକାଭିମୁଖୀ କାର୍ଯ୍ୟାଦେଶ ଓ ଓଡ଼ିଶାର କୋଣ ଅନୁକୋଣରେ ପହଂଚି ପାରିଛି । ବାପା ସ୍ୱର୍ଗତ ରାଜେନ୍ଦ୍ରେ ଢୋଲକିଆଙ୍କ ନୂଆପଡ଼ାରେ ଅନେକ ସାମାଜିକ କାର୍ଯ୍ୟ କରିଛନ୍ତି । ତାଙ୍କ ପଥକୁ ଅନୁସରଣ କରି ମୁଁ ନୂଆପଡ଼ାରେ ବିଗତ ୫ ବର୍ଷ ହେବ ବିଭିନ୍ନ ସମାଜ ସେବା କରି ଆସୁଛି । ଏହି ଅଂଚଳର ବିକାଶ ପାଇଁ ବାପା ଅନେକ ସ୍ୱପ୍ନ ଦେଖିଥିଲେ ତାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଜି ମୁଁ ବିଜେପିରୁ ପ୍ରାର୍ଥୀ ହୋଇଛି । ମୋର ଅନ୍ତିମ ନିିଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କ ସେବା କରିବି ବୋଲି ଶ୍ରୀ ଢୋଲିକିଆ କହିଛନ୍ତି ।
ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ କୋମନା ବ୍ଲକ ଏବଂ ଖରିଆର ରୋଡ ଏନଏସିର ଉପାଧ୍ୟକ୍ଷଙ୍କ ସମେତ ଅନେକ ସରପଂଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ନିର୍ବାଚିତ ଜନପ୍ରତିନିଧିଙ୍କ ସମେତ ଉଭୟ ବିଜେଡି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପ୍ରସନ୍ନ ପାଢୀ, ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଷ ରାମ ସିଂହ ଖୁଂଟିଆ, ସାଂସଦ ମାଳବିକା ଦେବୀ, ମାନ୍ୟବର ବିଧାୟକ ବାବୁ ସିଂ, ଇରାଶିଶ ଆଚାର୍ଯ୍ୟ, ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ, ଅଭିନନ୍ଦନ ପଣ୍ଡା, ବରିଷ୍ଠ ନେତା ଅର୍କ କେଶରୀ ଦେଓ, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡା.ସୋନିଆ ଜୈନ, ଜିଲ୍ଲା ଉପସଭାପତି ଗୋଲ୍ଡି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

୧୬ ତାରିଖରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ। ଆଗାମୀ ୧୬ ତାରିଖରେ  ନୂଆପଡ଼ା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ରହିବେ। ଆଜି ଏଭଳି ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର। ସେ ଆହୁରି ଜୋର୍ ଦେଇ କହିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ। ବିଜେଡି ଏଯାଏ ପ୍ରାର୍ଥୀ ସ୍ଥିର କରିପାରିନାହିଁ। ତେଣେ କଂଗ୍ରେସକୁ ଲୋକେ ପସନ୍ଦ କରୁନାହାନ୍ତି। ଏଣୁ ବିଜେପି ଏଠାରେ ଜିତିବା ସୁନିଶ୍ଚିତ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର।

Leave a Reply

Your email address will not be published. Required fields are marked *