ଓଡ଼ିଶାର ଗୌରବ ତଥା ଐତିହାସିକ କଟକ ବାଲିଯାତ୍ରା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ମହାନଦୀ କୂଳରେ ଆୟୋଜିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନିଜେ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ବିଧାୟକ ପ୍ରକାଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ବାଲିଯାତ୍ରା ପ୍ରାଚୀନ କାଳରେ ଓଡ଼ିଶାର ସାଧବମାନଙ୍କ ଦ୍ୱାରା ହେଉଥିବା ସାମୁଦ୍ରିକ ବାଣିଜ୍ୟର ସ୍ମୃତିକୁ ମନେ ପକାଇ ଦେଇଥାଏ। ଏହା ଏକ ବୃହତ ବାଣିଜ୍ୟ ମେଳା ଭାବେ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ।
ବାଲିଯାତ୍ରାକୁ ଏଥର ଆକର୍ଷଣୀୟ କରିବା ପାଇଁ ଶ୍ରେୟା ଘୋଷାଲ ଓ ହର୍ଷଦୀପ କୌର ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ‘କଟକ ଇନ୍ କଟକ’ରେ ଓଡ଼ିଆ ଭାଷା, ସାହିତ୍ୟ ଥିମ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥର ପାଖାପଖି ୧୬୦୦ ଷ୍ଟଲ୍ ପଡ଼ିଛି। ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ୍ ଫୋର୍ସ ଓ ୩୦୦ରୁ ଅଧିକ ଅଫିସର ମୁତୟନ ହେବେ ବୋଲି କମିସନର ଏସ୍ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି। ବାଲିଯାତ୍ରାରେ ବିଶ୍ବ ରେକର୍ଡ କରିବା ପାଇଁ ପ୍ରଶାସନ ତିନୋଟି ପଦକ୍ଷେପ ନେଇଛି।
ଶାଳପତ୍ରରେ ୧୦ହଜାର ଗ୍ରିନ୍ ବୋଟ୍ ତିଆରି କରାଯିବ। ‘କଟକ ଇନ୍ କଟକ’ ଭିତରେ ୧ଲକ୍ଷ ବହି ସଂଗ୍ରହ କରି ମାଗଣାରେ ବଣ୍ଟାଯିବ। ବାଲିଯାତ୍ରାକୁ ଆସୁଥିବା ଲୋକମାନଙ୍କର ମତାମତକୁ ସଂଗ୍ରହ କରିବା ପାଇଁ ଷ୍ଟିକିଂ ନୋଟ୍ସ ବୋର୍ଡରେ ଲଗାଯିବାକୁ ପ୍ରଶାସନ ବ୍ୟବସ୍ଥା କରିଛି। ସେହିପରି ବାଲିଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମେଳାର ମାନ୍ୟତା ଦେବା ପାଇଁ ଏଥର ଇଣ୍ଡୋନେସିଆ ଓ କୋରିଆରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଟିମ୍ ଆସୁଥିଲା ବେଳେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପାଭିଲିଅନ୍ କରାଯାଇଥିବା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି।







