ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରେବା ତୀର୍ଥ ଭାବେ ପରିଚିତ ପବିତ୍ର ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ଆ କା ମା ଵୈ.ପାନ ଗୁଆ ଥୋଇ,ପାନ ଗୁଆ ତୋର, ମାସକ ଧରମ ମୋର” କହି ଚନ୍ଦ୍ରଭାଗା ତୀର୍ଥପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ କରିଛନ୍ତି।
ପ୍ରାଚୀନ ପରମ୍ପରା ପାଳନ ପୂର୍ବକ ଶୁକ୍ରବାର ଭୋର ୪ଟାରୁ କାଗଜ ଡ଼ଙ୍ଗା, କଦଳୀ ଫାଉଡାରେ ନିର୍ମିତ ଡଙ୍ଗା ଧରି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଶତାଧିକ କାର୍ତ୍ତିକ ବ୍ରତଧାରୀ ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ପୂଜାର୍ଚ୍ଚନା କରି ଡ଼ଙ୍ଗା ଭଷାଉଭା ସହ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି। ବିଶ୍ୱାସ ରହିଛି କାର୍ତ୍ତିକ ମାସରେ ଓଷା କରିବା ସହ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ସୂର୍ଯ୍ୟନାରାୟଣ ଦର୍ଶନ କଲେ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତି ମିଳିଥାଏ।
ତେଣୁ ଆଜି ପ୍ରତ୍ୟୁଷରେ ହଜାର ହଜାର ସୂର୍ଯ୍ୟ ଭକ୍ତ ଓ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ଆସି “ଆ କା ମା ଵୈ.ପାନ ଗୁଆ ଥୋଇ,ପାନ ଗୁଆ ତୋର, ମାସକ ଧରମ ମୋର” କହି କଦଳୀ ଫାଉଡାରେ ସୁନ୍ଦର ଭାବେ ଦୀପ ଧୂପ ସଜାଇ ଫୁଲ ଦେଇ ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କରି ପବିତ୍ର ତୀର୍ଥ ଜଳରେ ଶତାଧିକ ଶ୍ରଦ୍ଧାଳୁ ଡଙ୍ଗା ଭସାଇଥିଲେ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଓ ସାଂସ୍କୃତିକ ପରମ୍ପରାକୁ ମନେପକାଇବା ପାଇଁ ଚନ୍ଦ୍ରଭାଗାରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ନାମ ସଙ୍କୀର୍ତ୍ତନ ଓ ହୁଳହୁଳି ଶବ୍ଦରେ ଚନ୍ଦ୍ରଭାଗା ବେଳାଭୂମି ବେଶ୍ ଆଧ୍ୟାତ୍ମିକମୟ ହୋଇଛି।








