ବିଜେଡିକୁ ସୋମବାର ବଡ଼ ଶକ୍ତ ଝଟ୍କା ଲାଗିଛି। ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍ପି ଅମର ପଟ୍ଟନାୟକ ଭାଜପାରେ ମିଶିଛନ୍ତି। ସେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଫୁଲତୋଡ଼ା ଦେଇ ଦଳକୁ ସ୍ବାଗତ କରିଥିଲେ। ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ଏହି ମିଶ୍ରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ପୂର୍ବତନ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ଅମର ପଟ୍ଟନାୟକ ୨୦୧୮ ଅଗଷ୍ଟ ୨୯ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ। ଏହାପରେ ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଲୋକମାନଙ୍କୁ ଠିକ୍ ଓ ତ୍ବରିତ ସୂଚନା ପ୍ରଦାନ କରିବା ପାଇଁ ବିଜେଡି ଆଇଟି ସେଲ୍ ଗଠନ ହୋଇଥିଲା। ଏହାର ଅଧ୍ୟକ୍ଷ ଭାବେ ଦଳର ମୁଖପାତ୍ର ଅମର ପଟ୍ଟନାୟକଙ୍କୁ ବିଜେଡି ସଭାପତି ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ। ସେହିପରି ଏହି ସେଲ୍ର ସଦସ୍ୟ ଭାବେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ମୁଖପାତ୍ର ସସ୍ମିତ ପାତ୍ର, ସୁଲୋଚନା ଦାସ, ମହିଳା ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର ଏବଂ ପ୍ରସନଜିତ୍ ପତିଙ୍କୁ ଶ୍ରୀ ପଟ୍ଟନାୟକ ମନୋନୀତ କରିଥିଲେ।
୨୦୧୯ରେ ବିଜୁ ଜନତା ଦଳ ପକ୍ଷରୁ ଦଳର ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ସେଲ୍ର ମୁଖ୍ୟ ତଥା ପୂର୍ବତନ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ଅମର ପଟ୍ଟନାୟକ ଏବଂ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନାମ ଦଳର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ୨୦୧୯ରେ ରାଜ୍ୟସଭାକୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ।









