ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଶନିବାର ଖେଳାଯାଇଥିବା ୩ୟ ଦିନିକିଆରେ ଭାରତକୁ ୪୩ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ । ଏହି ହାଇସ୍କୋରିଂ ମ୍ୟାଚରେ ଅଷ୍ଟ୍ରେଲିଆ ଏକ ୪୧୩ ରନର ଏକ ବିଶାଳ ଟାର୍ଗେଟ ଧାର୍ଯ୍ୟ କରିଥିଲେ ବି ଭାରତ ସାହସର ସହିତ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲା । ସ୍ମୃତି ମାନ୍ଧାନାଙ୍କ ବିସ୍ଫୋରକ ଶତକ, ଦିପ୍ତି ଶର୍ମାଙ୍କ ୭୨ ରନ ଓ ହରମନପ୍ରିତ କୌରଙ୍କ ଅର୍ଦ୍ଧଶତକ ବଳରେ ୪୭ ତମ ଓଭରରେ ୩୬୯ ରନ କରି ଅଲଆଉଟ ହୋଇଯାଇଥିଲା ।
ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ସ୍ମୃତି ମାନ୍ଧାନାଙ୍କ ୫୦ ବଲରେ ଶତକ। ଏହା ସହିତ ସେ ଏବେ ପୁରୁଷ ଓ ମହିଳା ବର୍ଗ ନିର୍ବିଶେଷରେ ଭାରତର ଦ୍ରୁତତମ ଦିନିକିଆ ଶତକ ଅର୍ଜନକାରୀରେ ପରିଣତ ହୋଇଛନ୍ତି । ନିଜର ଏହି ଇନିଂସରେ ସେ ମୋଟ ୧୨୫ ରନ କରିଥିଲେ, ଯେଉଁଥିରେ ୧୭ଟି ଚୌକା ଓ ୫ଟି ଛକା ଅନ୍ତର୍ଭୁକ୍ତ ।









