ଆଇସିୟୁରୁ ବାହାରିଲେ ଶ୍ରେୟସ ଆୟର, ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ଶ୍ରେୟସ ଆୟର ଆହତ ହେବା ପରେ ସିଡ୍‌ନୀର ଏକ ହସ୍‌ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ସୋମବାର ସନ୍ଧ୍ୟାରେ ତାଙ୍କୁ ଆଇସିୟୁରୁ କଢ଼ାଯାଇଛି। ଏବେ ମଧ୍ୟ ଆୟର ହସ୍‌ପିଟାଲରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ସେ ଆଉ କିଛିଦିନ ହସ୍‌ପିଟାଲ​‌େ​ର ରହିବେ ବୋଲି ବିସିସିଆଇ ଡାକ୍ତରୀ ଦଳ ସୂତ୍ରରୁ ପ୍ରକାଶ। ଅଷ୍ଟ୍ରେଲିଆରେ ଥିବା ଶ୍ରେୟସ ଆୟରଙ୍କ କିଛି ବନ୍ଧୁ ତାଙ୍କୁ ସୋମବାର ସନ୍ଧ୍ୟାରେ ଭେଟିଛନ୍ତି। ଏଣେ ଶ୍ରେୟସଙ୍କ ପରିବାର ସଦସ୍ୟଙ୍କୁ ଖୁବ୍‌‌ ଶୀଘ୍ର ସିଡ୍‌ନୀ ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି ବିସିସିଆଇ କହିଛି। ଯେପର୍ଯ୍ୟନ୍ତ ୩୦ ବର୍ଷ ବୟସ୍କ ଆୟର ସମ୍ପୂର୍ଣ୍ଣ ସୁସ୍ଥହୋଇ ହସ୍‌ପିଟାଲରୁ ନ ବାହାରନ୍ତି; ଭାରତୀୟ ଦଳର ଡାକ୍ତର ରିଜ୍‌ୱାନ ଖାଁ ତାଙ୍କ ସହ ରହିବେ। ତେବେ ଆୟରଙ୍କୁ ସୁସ୍ଥହେବାକୁ କେତେଦିନ ଲାଗିବ ଏବଂ ହସ୍‌ପିଟାଲରୁ କେବେ ବାହାରିବେ; ତାହା ଜଣା ପଡ଼ିନାହିଁ।

ଆୟର ଆହତ ହେବାର ଦୁଇ ଦିନ ପରେ ବିସିସିଆଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଔପଚାରିକ ବିବୃତି ଦେଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ଶନିବାର ସିଡ୍‌‌ନୀରେ ଖେଳା ଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌‌ରେ ଆଲେକ୍ସ କ୍ୟାରୀଙ୍କ କ୍ୟାଚ୍‌‌ ଧରିବା ପାଇଁ ଡାଇଭ୍‌ ମାରିବା ବେଳେ ଶ୍ରେୟସ ପଡ଼ି ଯାଇଥିଲେ। କ୍ୟାଚ୍‌‌ ଧରିବା ପରେ ପଡ଼ିଆରେ ଭୀଷଣ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ବାହାରକୁ ନିଆ ଯାଇଥିଲା। ସେ ବ୍ୟାଟିଂ କରିବାକୁ ଆସିନଥିଲେ। ପ୍ରାଥମିକ ଅବସ୍ଥାରେ ତାଙ୍କ ବାମ ପଞ୍ଜରା ହାଡ଼ରେ ଆଘାତ ଲାଗିଛି ବୋଲି ଆଶଙ୍କା କରା ଯାଉଥିଲା। ତେବେ ଡ୍ରେସିଂରୁମ୍‌ରେ ଆୟରଙ୍କ ଯନ୍ତ୍ରଣା ବଢ଼ିବା ସହ ରକ୍ତଚାପ କମିବା ଯୋଗୁଁ ତୁରନ୍ତ ତାଙ୍କୁ ହସ୍‌ପିଟାଲକୁ ନିଆ ଯାଇଥିଲା। ସେଠାରେ ସ୍କାନିଂ କରିବା ପରେ ଜଣା ପଡ଼ିଥିଲା ଯେ ଜୋର୍‌ରେ ପଡ଼ିବା ଯୋଗୁଁ ତାଙ୍କ ବାମ ପଞ୍ଜରା ହାଡ଼ ତଳେ ଥିବା ସ୍ପ୍ଲିନ୍ ବା ପ୍ଲିହାରେ କ୍ଷତ ସୃଷ୍ଟିହୋଇଛି ଏବଂ ଏହିଥିରୁ ହିଁ ରକ୍ତସ୍ରାବ ହେଉଛି।ସେତେବେଳେ ଆୟରଙ୍କ ଜୀବନ ପ୍ରତି ଆଶଙ୍କା ଥିଲା। ତେଣୁ ସିଡ୍‌ନୀ ହସ୍‌ପିଟାଲର ବିଶେଷଜ୍ଞ ଡାକ୍ତର ତାଙ୍କୁ ଆଇସିୟୁରେ ରଖି ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ଶରୀର ଭିତରର ରକ୍ତସ୍ରାବ ବନ୍ଦହେବା ସହ ସ୍ବାସ୍ଥ୍ୟରେ ଉନ୍ନତି ହେବା ଯୋଗୁଁ ୪୮ ଘଣ୍ଟା ପରେ ସୋମବାର ସନ୍ଧ୍ୟାରେ ଶେୟସଙ୍କୁ ଆଇସିୟୁରୁ ବାହାରକୁ ଅଣାଯାଇଛି। ସେ ବିପଦମୁକ୍ତ ବୋଲି ଡାକ୍ତର କହିଛନ୍ତି। ଆୟରଙ୍କୁ ତରବରିଆ ଭାବେ ଡାକ୍ତରଖାନାରୁ କାଢ଼ିବାର କୌଣସି ଯୋଜନା ନାହିଁ। ସେ ସମ୍ପୂର୍ଣ୍ଣ ସୁସ୍ଥହେବା ପର୍ଯ୍ୟନ୍ତ ହସ୍‌ପିଟାଲରେ ରହିବେ। ବୁଧବାର ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ ଦଳର ଖେଳାଳି କ୍ୟାନ୍‌ବେରା ଯାଇଥିବା ବେଳେ ଟି୨୦ ଦଳରେ ନ ଥିବା ଖେଳାଳି ସ୍ବଦେଶ ଫେରି ଯାଇଛନ୍ତି। ତେବେ ଶ୍ରେୟସ ହସ୍‌ପିଟାଲରେ ଥିବା ବେଳେ ତାଙ୍କ ସହ ଭାରତୀୟ ଦଳର ଡାକ୍ତର ରିଜ୍‌ୱାନ ଖାଁ ରହିଛନ୍ତି। ଆୟର ହୋସ୍‌ରେ ଅଛନ୍ତି ଏବଂ କଥାବର୍ତ୍ତା କରୁଛନ୍ତି। ରାଞ୍ଚିରେ ନଭେମ୍ବର ୩୦ରୁ ଘରୋଇ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ତେବେ ଆୟରଙ୍କୁ ଏବେ ବିଶ୍ରାମ ଆବଶ୍ୟକ ଥିବାରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିବେ ନାହିଁ।