ଏସିଆ କପ୍ ମହିଳା – ଚୀନ ଠୁ ହାରିଲା ଭାରତ

ଚଳିତ ଏସିଆ କପ୍ ମହିଳା ହକି ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟରେ ଭାରତ ଆୟୋଜକ ଚୀନଠାରୁ ଶୋଚନୀୟ ଭାବେ ୧-୪ ଗୋଲ୍‌ରେ ପରାଜିତ ହୋଇଛି। ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଅପରାଜିତ ଥିବା ଭାରତ ନିଜ ପ୍ରଥମ ସୁପର-୪ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ୪-୨ରେ ପରାସ୍ତ କରିଥିଲା। ତେବେ ଗୁରୁବାର ସେହି ସଫଳତା ‌ଦୋହରାଇ ପାରି ନଥିଲା। ଚତୁର୍ଥ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିବା ଚୀନ ପୂରା ମ୍ୟାଚ୍‌କୁ ‌ଶେଷ ପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣରେ ରଖିଥିଲା। ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ମୁମତାଜ୍ ଖାନ୍ ୩୮ତମ ମିନିଟ୍‌ରେ ଦେଇଥିଲେ।ଚୀନ ପକ୍ଷରୁ ଜୋ ମିରାଙ୍ଗ (୪ ଓ ୫୬ ମିନିଟ୍), ଚେନ୍ ୟାଙ୍ଗ (୩୧ ମିନିଟ୍), ତାନ୍ ଜିନଝୁଆଙ୍ଗ (୪୭ ମିନିଟ୍) ଦେଇଥିଲେ। ଏହି ବିଜୟ ସହ ଚୀନ ଦୁଇଟି ମ୍ୟାଚ୍‌ରୁ ଦୁଇଟି ବିଜୟ ହାସଲ କରି ଫାଇନାଲ୍‌ର ନିକଟତର ହୋଇଛି। ଭାରତ ପାଇଁ ୧୩ ତାରିଖର ଜାପାନ ବିପକ୍ଷ ମ୍ୟାଚ୍‌ର ଗୁରୁତ୍ବ ବଢ଼ିଯାଇଛି। ଭାରତ (୩ ପଏଣ୍ଟ୍‌) ଏବେ ଚୀନ (୬ ପଏଣ୍ଟ୍‌) ପଛକୁ ଦ୍ବିତୀୟ ସ୍ଥାନରେ ରହିଛି। ଗୁରୁବାରର ଅନ୍ୟଏକ ମ୍ୟାଚ୍‌ରେ ଜାପାନ-ଦକ୍ଷିଣ କୋରିଆ ପଏଣ୍ଟ୍‌ ବାଣ୍ଟିଛନ୍ତି।

Leave a Reply

Your email address will not be published. Required fields are marked *