ନାକାବନ୍ଦୀ ପାଖକୁ ଯଦି କୌଣସି ଇରାନ ଜାହାଜ ଆସେ ତାକୁ ନଷ୍ଟ କରିଦବୁ – ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ ଧମକ ଦେଇ କହିଛନ୍ତି ଯେ ହର୍ମୁଜ ପ୍ରଣାଳୀ ଭଳି ରଣନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଜାରି ଆମେରିକାର ନାକାବନ୍ଦୀ ପାଖକୁ ଯଦି କୌଣସି ଇରାନ ଜାହାଜ ଆସେ ତାକୁ ନଷ୍ଟ କରିଦିଆଯିବ। ଟ୍ରମ୍ପଙ୍କ ଏହି ଚେତାବନୀ ସେତେବେଳେ ଆସିଛି ଯେତେବେଳେ ଜଳମାର୍ଗରେ ୱାସିଂଟନ ପ୍ରଭାବୀ ନାକାବନ୍ଦୀ ଶେଷ କରିଛି। ଏଣୁ କ୍ଷେତ୍ରରେ ଉତ୍ତେଜନା ଆହୁରି ବଢି ଯାଇଛି।

ଟ୍ରୁଥ ସୋସାଲରେ କରାଯାଇଥିବା ଏକ ପୋଷ୍ଟରେ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ନୈସେନା ସ୍କ୍ୱାଡ୍ରନର ବ୍ୟାପକ କ୍ଷତି ହୋଇଛି। ସେ କହିଛନ୍ତି ଯେ ୧୫୮ ଇରାନୀ ଜାହାଜଙ୍କୁ ନଷ୍ଟ କରାଯାଇଛି। ତେବେ ଏଥିରେ ଛୋଟ ଜାହାଜ ଯାହାକୁ ‘ଫାଷ୍ଟ ଆଟାକ୍ ସିପ୍’ କୁହାଯାଏ ତା ଉପରେ ଧ୍ୟାନ ଦିଆଯାଇ ନଥିଲା। କାରଣ ସେତେବେଳେ ଏହାକୁ ବଡ଼ ବିପଦ ବୋଲି ଆକଳନ କରାଯାଉ ନଥିଲା। ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ନାକାବନ୍ଦୀ ଆଖପାଖକୁ ଆସୁଥିବା ଯେ କୌଣସି ଇରାନୀ ଜାହାଜକୁ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ।

ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା ସମୁଦ୍ରରେ ନିଶା ସାମଗ୍ରୀ ତସ୍କରୀ କରୁଥିବା ଡଙ୍ଗା ବିରୋଧରେ ବ୍ୟବହାର କରାଯାଉଥିବା ଆକ୍ରମକ ରଣନୀତି ଏଠାରେ ମଧ୍ୟ ପ୍ରୟୋଗ କରାଯିବ। ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ଜୋରଦାର ହେବ ବୋଲି ସତର୍କ କରିଛନ୍ତି। ଏହି ଘଟଣାକ୍ରମ ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ସାମ୍ନାକୁ ଆସିଛି। ହର୍ମୁଜ ଜଳମାର୍ଗ ବୈଶ୍ୱିକ ତୈଳ ସିପମେଣ୍ଟ ଲାଗି ଏବେବି ଗୁରୁତ୍ୱପୂର୍ଣ୍ଣ ମାର୍ଗ ହୋଇ ରହିଛି। ସମୀକ୍ଷକ ଚେତାବନୀ ଦେଇଛନ୍ତି ଯେ ଏହି କ୍ଷେତ୍ରରେ କୌଣସି ପ୍ରକାରର ଉତ୍ତେଜନା ଅନ୍ତର୍ଜାତୀୟ ବାଣିଜ୍ୟ ଓ ଉର୍ଜା ବଜାରକୁ ବାଧିତ କରିବ। ଫଳରେ ଭୂ-ରାଜନୈତିକ ଅନିଶ୍ଚିତତା ଆହୁରି ବଢିଯିବ।