ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ: ନ୍ୟୁଜିଲାଣ୍ଡକୁ ୨୮୫ ରନ୍‌ ଲକ୍ଷ୍ୟ

ଗୁଜରାଟର ରାଜକୋଟ୍‌ରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆରେ ଭାରତୀୟ ୱିକେଟ୍ ରକ୍ଷକ ବ୍ୟାଟର୍‌ କେଏଲ୍ ରାହୁଲ ବିସ୍ଫୋରକ ଶତକ ଅର୍ଜନ କରିଛନ୍ତି। ତାଙ୍କ ୯୨ ବଲ୍‌ରୁ ୧୧୨ ରନ୍‌ର ଅପରାଜିତ ପାଳି ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୪ ରନ୍‌ର ସମ୍ମାନଜନକ ସ୍କୋର୍ କରି ନେଇଛି। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୮୫ ରନ୍‌ ଲକ୍ଷ୍ୟ ମିଳିଛି। ମଙ୍ଗଳବାର ଟସ୍‌ ବେଳେ ଭାଗ୍ୟ ଭାରତୀୟ ଦଳର ସାଥ୍‌ ଦେଇ ନଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦୁଇ ଓପନର୍ ରୋହିତ ଶର୍ମା ଓ ଶୁବମନ୍‌ ଗିଲ୍‌ କେତେକ ଦର୍ଶନୀୟ ସଟ୍‌ ଖେଳି ପ୍ରଥମ ୱିକେଟ୍‌ରେ ୭୦ ରନ୍‌ର ଭାଗୀଦାର ଗଢ଼ିଥିଲେ। ହେଲେ ପ୍ରଥମ ଭଳି ଦ୍ବିତୀୟ ମୁକାବିଲାରେ ମଧ୍ୟ ରୋହିତ ଭଲ ଆରମ୍ଭକୁ ବଡ଼ ସ୍କୋର୍‌ରେ ରୂପାନ୍ତର କରି ପାରି ନଥିଲେ। ସ୍ବଭାବ ବିପରୀତ ମନ୍ଥର ବ୍ୟାଟିଂ କରିବା ମଧ୍ୟ ତାଙ୍କୁ ବିଶେଷ ସହାୟ ହୋଇ ନଥିଲେ। ବ୍ୟକ୍ତିଗତ ଭାବେ ୨୪ ରନ୍ କରିଥିଲା ବେଳେ ଆତୁର ‌ହୋଇ ରନ୍ ଗତି ବଢ଼ାଇବା ଲୋଭରେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ ସେ।ଅଧିନାୟକ ଶୁବମନ୍ ଶୃଙ୍ଖଳାରେ ଲଗାତାର ଦ୍ବିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ହେଲେ ତାଙ୍କ ସହ ଗତ ମ୍ୟାଚ୍‌ର ନାୟକ ବିରାଟ କୋହଲି (୨୩) ଓ ଶ୍ରେୟସ୍ ଆୟର (୮)ଙ୍କୁ ୧୯ ରନ୍ ଭିତରେ ଆଉଟ୍ କରି ନ୍ୟୁଜିଲାଣ୍ଡ ଘରୋଇ ଭାରତ କାନ୍ଧକୁ ଚାପ ଫେରାଇ ଦେଇଥିଲା। ଭାରତ ହଠାତ୍ ୧୧୮ ରନ୍‌ରେ ୪ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଏଭଳି ସ୍ଥିତିରେ ରାହୁଲ ଦଳର ତ୍ରାଣକର୍ତ୍ତା ସାଜିଥିଲେ। ଆକ୍ରମଣ ସହ ରକ୍ଷଣାତ୍ମକ ଖେଳର ଅପୂର୍ବ ନମୁନା ଦେଖାଇ ଛୋଟଛୋଟ ଭାଗୀଦାରରେ ଭାରତ ସ୍କୋର୍‌କୁ ୨୮୦ ରନ୍ ପାର କରାଇ ଦେଇଥିଲେ। ରବୀନ୍ଦ୍ର ଜାଡ଼େଜା ଓ ନୀତୀଶ କୁମାର ରେଡ୍ଡୀ ତାଙ୍କୁ ଏଥିରେ ଭଲ ସହଯୋଗ କରିଥିଲେ। କାଇଲ୍ ଜାମିସନ୍‌ଙ୍କୁ ଛକା ମାରି ନିଜ ଅଷ୍ଟମ ଦିନିକିଆ ଶତକ ଅର୍ଜନ କରି ଭାରତୀୟ ବୋଲର୍‌ଙ୍କୁ ସୁରକ୍ଷିତ ରଖିବା ଲାଗି ଏକ ଭଲ ସ୍କୋର୍‌ ଭେଟି ଦେଇଥିଲେ ରାହୁଲ। ଏହି ଶତକ ସେ ମାତ୍ର ୮୭ ବଲ୍‌ରୁ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *