ଭାରତର ଚର୍ଚ୍ଚିତ ତଥା ପ୍ରେରଣାଦାୟୀ ପାରା-ତୀରନ୍ଦାଜ ଶୀତଲ ଦେବୀ ପୁଣି ଥରେ ନିଜ ଶ୍ରେଷ୍ଠତା ସ୍ଥାପନ କରିଛନ୍ତି । ଜମ୍ମୁ କାଶ୍ମୀରର ୧୮ ବର୍ଷୀୟା ବିଶ୍ୱ କମ୍ପାଉଣ୍ଡ ଚାମ୍ପିଅନ ଗୁରୁବାର ଆଉ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛନ୍ତି । ଜେଦ୍ଦାରେ ହେବାକୁ ଥିବା ଆଗାମୀ ଏସିଆ କପ୍ ଷ୍ଟେଜ୍ ୩ ପାଇଁ ଭାରତୀୟ ସକ୍ଷମ ଜୁନିଅର ଦଳରେ ଚୟନ ହାସଲ କରିଛନ୍ତି । ପ୍ରଥମ ଥର ପାଇଁ ଜଣେ ପାରା-ଆଥଲେଟଙ୍କୁ ଭାରତୀୟ ସକ୍ଷମ ଶରୀର ବିଶିଷ୍ଟ ଅନ୍ତର୍ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ତୀରନ୍ଦାଜ ଶୀତଲ ଦେବୀ ବିନା ହାତରେ ଜନ୍ମ ହୋଇଥିଲେ ।
ବିଶ୍ୱ କମ୍ପାଉଣ୍ଡ ଚାମ୍ପିଅନ ଶୀତଲଙ୍କ ପାଇଁ ସକ୍ଷମ ଶରୀର ବିଶିଷ୍ଟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସାମିଲ ହେବା ଆଉ ଏକ ଐତିହାସିକ ସଫଳତା । ଦଳ ଘୋଷଣା ପରେ ଶୀତଲ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଯେତେବେଳେ ସେ ପ୍ରତିଯୋଗିତା ଆରମ୍ଭ କରିଥିଲେ, ତାଙ୍କର ଏକ ଛୋଟିଆ ସ୍ୱପ୍ନ ଥିଲା । ଦିନେ ସକ୍ଷମ ଶରୀର ବିଶିଷ୍ଟ ତୀରନ୍ଦାଜମାନଙ୍କ ସହ ପ୍ରତିଯୋଗିତା କରିବି । ପ୍ରାରମ୍ଭରେ ସଫଳ ହୋଇନଥିଲି, କିନ୍ତୁ ମୁଁ ପ୍ରତ୍ୟେକ ବିଫଳତାରୁ ଶିଖି ଆଗକୁ ବଢ଼ି ଚାଲିଥିଲେ । ଆଜି ସେହି ସ୍ୱପ୍ନ ଗୋଟିଏ ପାଦ ନିକଟତର ହୋଇଛି ।’
ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ରେ ମିଶ୍ରିତ ଟିମ୍ କମ୍ପାଉଣ୍ଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ଶୀତଲ, ପାରାଅଲିମ୍ପିକ୍ ଚାମ୍ପିଅନ୍ ତୁର୍କୀର ଓଜନୁର କ୍ୟୁର ଗିର୍ଡିଙ୍କୁ ପ୍ରେରଣା ରୂପେ ଦେଖନ୍ତି । ଓଜୁନର ବିଶ୍ୱ ସ୍ତରରେ ସକ୍ଷମ ଶରୀର ଥିବା ତୀରନ୍ଦାଜ ଇଭେଣ୍ଟରେ ମଧ୍ୟ ଅଂଶଗ୍ରହଣ କରନ୍ତି ।
ଜାତୀୟ ଚୟନ ପରୀକ୍ଷଣରେ ଶୀତଲ ୬୦ରୁ ଅଧିକ ତୀରନ୍ଦାଜଙ୍କ ସହ ପ୍ରତିଯୋଗିତା କରିଥିଲେ । ୧୮ ବର୍ଷୀୟା ତୀରନ୍ଦାଜ ଶୀତଲ ସୋନିପତରେ ଅନୁଷ୍ଠିତ ଚାରି ଦିନିଆ ଜାତୀୟ ଚୟନ ପରୀକ୍ଷଣରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶୀତଲ ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ (ପ୍ରଥମ ରାଉଣ୍ଡରେ ୩୫୨ ଏବଂ ଦ୍ୱିତୀୟ ରାଉଣ୍ଡରେ୩୫୧) ସ୍କୋର କରିଥିଲେ । ଏହା ଶୀର୍ଷ ଯୋଗ୍ୟତା ପ୍ରାପ୍ତ ଖେଳାଳି ତେଜଲ ସାଲଭେଙ୍କ ସ୍କୋର ସହିତ ସମାନ ଥିଲା । ଚୂଡ଼ାନ୍ତ ରାଙ୍କିଂରେ, ତେଜଲ (୧୫.୭୫ ପଏଣ୍ଟ) ଏବଂ ବୈଦେହୀ ଯାଧବ (୧୫ ପଏଣ୍ଟ) ଶୀର୍ଷ ଦୁଇଟି ସ୍ଥାନ ଅଧିକାର କରିଥିଲେ । ଶୀତଲ୧୧.୭୫ ପଏଣ୍ଟ ସହିତ ତୃତୀୟ ସ୍ଥାନ ଅଧିକାର କରିଥିଲେ ।









