ରଣଜୀ ଟ୍ରଫି – ଓଡ଼ିଶା ୨୪୩ ରନରେ ଆଉଟ

ରଣଜୀ ଟ୍ରଫିର କ୍ରମାଗତ ମ୍ୟାଚ୍‌ରେ ଓଡ଼ିଶା ପ୍ରଭାବୀ ବ୍ୟାଟିଂ କରିବାରେ ବିଫଳ ହୋଇଛି। ବାରବାଟୀରେ ବରୋଦା ନିକଟରୁ ହାରି କାନପୁର ଯାଇଥିବା ଶୁଭ୍ରାଂଶୁ‌ ସେନାପତିଙ୍କ ଦଳ ଉତ୍ତରପ୍ରଦେଶ ବିପକ୍ଷ ପ୍ରଥମ ପାଳିରେ ୨୪୩ ରନ୍‌ କରି ସମସ୍ତ ୱିକେଟ୍ ହରାଇଛି। ଶୀର୍ଷକ୍ରମ ବ୍ୟାଟରଙ୍କ ବିଫଳତା କାରଣରୁ ୩୬/୩ରେ ସଂଘର୍ଷ କରିଥିବା ଓଡ଼ିଶାକୁ ସନ୍ଦୀପ ପଟ୍ଟନାୟକ (୫୩ ରନ୍‌, ୧୩୮ ବଲ୍‌, ୮ ଚୌକା) ଏବଂ ଗୋବିନ୍ଦ ପୋଦ୍ଦାର (୬୪ ରନ୍, ୧୦୯ ବଲ୍‌, ୭ ଚୌକା) ବିପଦରୁ ବାହାର କରିଥିଲେ। ଉଭୟ ଚତୁର୍ଥ ୱିକେଟ୍ ପାଇଁ ୯୨ ରନ୍ ଯୋଡ଼ିଥିଲେ।  ଅପରାହ୍ଣରେ ଉଭୟ କ୍ରିଜ୍‌ରୁ ବିଦାୟ ନେବା ପରେ ଓଡ଼ିଶା ପୁଣି ୧୩୧/୬ରେ ସଂଘର୍ଷ କରିଥିଲା। ପ୍ରଥମ ପଦାର୍ପଣ କରିଥିବା ସମ୍ବିତ ବରାଳ (୯୦ ବଲରୁ ୫୯* ରନ୍‌, ୭ ଚୌକା, ୩ ଛକା) ଶେ‌ଷ ପର୍ଯ୍ୟନ୍ତ ଲଢ଼ିଥିଲେ।ରାଜେଶ ମହାନ୍ତି (୫୭ ବଲ୍‌ରୁ ୪୮ ରନ୍, ୫ ଚୌକା, ୩ ଛକା)ଙ୍କ ସହ ସେ  ୯୪ ରନ୍ ଭାଗୀଦାର ଗଢ଼ିଥିଲେ ମଧ୍ୟ ଓଡ଼ିଶା ଶେଷ ୫ ୱିକେଟ୍ ମାତ୍ର ୧୨ ରନ୍ ଭିତରେ ହରାଇ ସୁଯୋଗ ହାତଛଡ଼ା କରିଥିଲା। ରାଜେଶ ମାତ୍ର ୨ ରନ୍ ପାଇଁ ତାଙ୍କ ଦ୍ବିତୀୟ ଅର୍ଦ୍ଧଶତକରୁ ବଞ୍ଚିତ ରହିଥିଲେ। ତେବେ ୪ ପ୍ରମୁଖ ବ୍ୟାଟର୍‌ ସ୍ବସ୍ତିକ ସାମଲ (୪), ଆଶୀର୍ବାଦ ସ୍ବାଇଁ (୪), ଶୁଭ୍ରାଂଶୁ ସେନାପତି (୩), ରାଜେଶ ଧୂପର (୦) ବିଫଳ ହେବା ଓଡ଼ିଶାକୁ ଅଡୁଆରେ ପକାଇଛି। ଜବାବରେ ପ୍ରଥମ ଦିନ ଶେଷ ସୁଦ୍ଧା ଘରୋଇ ଉତ୍ତରପ୍ରଦେଶ କୌଣସି ୱିକେଟ୍ ନହରାଇ ୧୭ ରନ୍ ସଂଗ୍ରହ କରି ନେଇଛି।

Leave a Reply

Your email address will not be published. Required fields are marked *