ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଆଜି ଦିନରେ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସୁଛନ୍ତି। ଭାଇ ଭଉଣୀର ସମ୍ପର୍କକୁ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଇଥାଏ । ଏହି ରାକ୍ଷୀ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ସ୍ନେହ ଓ ଭଲ ପାଇବାର ସାକ୍ଷୀ । ଭାରତୀୟ ପରମ୍ପରା ଅନୁସାରେ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ବୋଲି କୁହାଯାଏ । ତେବେ ଏହି ଦିନଟି ପାଇଁ ଭଉଣୀ ଟିଏ ତା ଭାଇକୁ ରାକ୍ଷୀ ବାନ୍ଧିବ ବୋଲି ଚାତକ ଭଳି ଅନେଇ ବସିଥାଏ ।

ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ରାଖି ପିନ୍ଧିଛନ୍ତି ଚତୁଦ୍ଧାମୂର୍ତ୍ତି। ଗହ୍ମା ଗହ୍ମାପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା । ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧି ନିଜ ପାଇଁ ସୁରକ୍ଷା ଲୋଡ଼ିଛନ୍ତି ଦେବୀ ସୁଭଦ୍ରା।
ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ । ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନିତୀ ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ । ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ । ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।









