ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ: ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ

ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର  ବଜେଟ ଘୋଷଣା କରିଥିଲେ ସରକାର । ହେଲେ ଓଡ଼ିଶାର ବିକାଶ ପାଇଁ ଏତିକି ଅର୍ଥ ଯଥେଷ୍ଟ ହେଲାନି । ରାଜ୍ୟର ବିକାଶକୁ ତ୍ବରିତ ବେଗରେ ଆଗକୁ ନେବାକୁ ଅତିରିକ୍ତ ବଜେଟ୍‌ ଆଣିଛନ୍ତି ମୋହନ ସରକାର। ଏଥିରେ ପ୍ରତି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟରେ ସମୃଦ୍ଧ ଓଡ଼ିଶାର ନକ୍ସା ଆଙ୍କିଛନ୍ତି ସରକାର । କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣକୁ ଫୋକସ୍‌ରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ଓ ଜଳସେଚନ ପାଇଁ ୧୬୭୩ କୋଟି, ଖାଦ୍ୟ ସୁରକ୍ଷା ପାଇଁ ୪ ହଜାର ୩୨୯ କୋଟି ର ବ୍ୟୟବରାଦ ହୋଇଛି । ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ୨ ହଜାର ୩୨୭ କୋଟି, ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ସଞ୍ଜୀବନୀ ସାଜିବ ସରକାରଙ୍କ ଅତିରିକ୍ତ ୧୧୬୪ କୋଟିର ବଜେଟ୍‌ । ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ୧୫୫୮ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ।

ବଜେଟକୁ ନୈରାଶ୍ୟଜନକ ବୋଲି କହିଛି ବିଜେଡି । ଦଳ କହିଛି, ୧ ଲକ୍ଷ ୩୪ ହଜାର ୯୧୪ କୋଟିର ଋଣ କରି ଅତିରିକ୍ତ ବଜେଟ୍‌ ଆଣିଛନ୍ତି ସରକାର । କିଛି ନୂଆ ଯୋଜନା ନାହିଁ, କେବଳ ପାରମ୍ପରିକ ଭାବେ ବଜେଟ୍‌ ଅଣାଯାଇଥିବା କହିଛି କଂଗ୍ରେସ । ପୂର୍ବ ସରକାର ସମୟରେ ଯୋଜନା ପାଇଁ ବଜେଟ୍‌ ନଥିବା କହି କଟାକ୍ଷ କରିଛି ବିଜେପି। ସରକାର ବଜେଟ୍‌ ଘୋଷଣା କରୁଛନ୍ତି ସତ, ହେଲେ ଅବଧି ଭିତରେ ଟଙ୍କାକୁ ଖର୍ଚ୍ଚ କରିବା ବଡ ଚ୍ୟାଲେଞ୍ଜ ।

Leave a Reply

Your email address will not be published. Required fields are marked *