ପୁଣି ବଦଳିଲେ ଟ୍ରମ୍ପ । ମୋଦିଙ୍କୁ ପୁଣି ପ୍ରଶଂସା କଲେ । କହିଲେ ମୋଦି ଭଲ ବନ୍ଧୁ । କିଛି ଦିନ ଧରି ଆମେରିକା-ଭାରତ ମଧ୍ୟରେ ବୟାନବାଜି ପରେ ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଘୋଷଣା କରିଛନ୍ତି । ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବ୍ୟବସାୟିକ ସମସ୍ୟାର ସମାଧାନ ପାଇଁ ଆଲୋଚନା ପୁଣି ଆରମ୍ଭ କରିବେ ବୋଲି କହିଛନ୍ତି ।
ଗତ କିଛି ମାସ ହେଲା ଟ୍ରମ୍ପ ଭାରତ ବିରୋଧରେ କାମ କରୁଥିଲେ । ଅଧିକ ଟାରିଫ ଲଗାଇଥିଲେ । ଧମକ ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ ଭାରତ ରୁଷିଆଠାରୁ ତେଲ ବନ୍ଦ ନକଲେ ଅଧିକ 25 ପ୍ରତିଶତ ଟାରିଫ ଲାଗିବ । ୟୁକ୍ରେନ ଯୁଦ୍ଧକୁ ଭାରତ ତେଲ କିଣି ସହାୟତା କରୁଛି । ପୁଣି କହିଥିଲେ ଭାରତରୁ ଆମେରିକା ଅଧିକ ଜିନିଷ କିଣେ, କିନ୍ତୁ ଆମେରିକାନ୍ ଜିନିଷ ଭାରତରେ କମ୍ ବିକ୍ରି ହୁଏ। ଏହା ଆମେରିକାକୁ କ୍ଷତି ପହଞ୍ଚାଉଛି।
ଭାରତ ଶହେ ପ୍ରତିଶତ ଟାରିଫ ଲଗାଉଥିବା କହିଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ଅନୁଯାୟୀ, ଭାରତ ଆମେରିକାନ୍ ଉତ୍ପାଦ ଉପରେ ଅତ୍ୟଧିକ ଟାରିଫ୍ (କର) ଲଗାଇ ଲାଭ ପାଉଛି । ସେ ଭାରତକୁ “ସବୁଠାରୁ ଅଧିକ ଟାରିଫ୍ ଲଗାଉଥିବା ଦେଶ” କହିଥିଲେ ।

ରୁଷିଆରୁ ତେଲ କିଣାକୁ ନେଇ ଭାରତ ଉପରେ ବର୍ଷିଥିଲେ । ଭାରତ ରୁଷିଆରୁ ତେଲ କିଣୁଥିବାରୁ ଟ୍ରମ୍ପ କହିଛନ୍ତି ଏହା “ଲାଭବାନ୍” ଓ ଆମେରିକାକୁ କ୍ଷତି ପହଞ୍ଚାଉଛି। ଟ୍ରମ୍ପ ପରାମର୍ଶଦାତା ପିଟର୍ ନାଭାରୋଙ୍କ କଥାକୁ ସମର୍ଥନ କରି ସେ ଯୁକ୍ରେନ୍-ରୁଷିଆ ସଂଘର୍ଷକୁ “ମୋଦିଙ୍କ ଯୁଦ୍ଧ” କହିଥିଲେ । ଏହାପରେ ଟ୍ରମ୍ପ କହିଥିଲେ ଯେ ଭାରତର ଅର୍ଥନୀତି ଡ୍ରେଡ ଇକୋନୋମି । ଭାରତ-ରୁଷିଆ ଚାଇନା ଜାଲରେ ଫସିଯାଇଛନ୍ତି । ଏପରି ଅନେକ କଥା କହିଥିଲେ ଟ୍ରମ୍ପ ।
ଏବେ କିନ୍ତୁ ଟ୍ରମ୍ପଙ୍କ ସ୍ବର ବଦଳିଛି । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଲେଖିଛନ୍ତି ଯେ ମୁଁ ଖୁସି ଯେ ଭାରତ ଏବଂ ଆମେରିକା ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଆଲୋଚନା ଜାରି ରଖିଛନ୍ତି। ମୁଁ ଆଗାମୀ ସପ୍ତାହଗୁଡ଼ିକରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାବାର୍ତ୍ତା କରିବାକୁ ଅପେକ୍ଷା କରିଛି। ଟ୍ରମ୍ପ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଏହି ଆଲୋଚନା ଉଭୟ ଦେଶ ପାଇଁ ସଫଳ ଫଳାଫଳ ଆଣିବ।
ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସେ ସର୍ବଦା ବନ୍ଧୁ ରହିବେ। ତଥାପି, ସେ ଏହା ମଧ୍ୟ କହିଥିଲେ ଯେ ସେ ବର୍ତ୍ତମାନ ଭାରତର କିଛି ନୀତି ସହିତ ଏକମତ ନୁହଁନ୍ତି। ଏକ ଆଲୋଚନାରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଭାରତ ସହିତ ସମ୍ପର୍କ ଉନ୍ନତ କରିବାକୁ ପ୍ରସ୍ତୁତ କି ନାହିଁ, ଟ୍ରମ୍ପ ଉତ୍ତର ଦେଇଥିଲେ ଯେ ମୁଁ ସର୍ବଦା ପ୍ରସ୍ତୁତ ରହିବି। ମୁଁ ସର୍ବଦା (ପ୍ରଧାନମନ୍ତ୍ରୀ) ମୋଦୀଙ୍କ ବନ୍ଧୁ ରହିବି। ସେ ଜଣେ ମହାନ ପ୍ରଧାନମନ୍ତ୍ରୀ, କିନ୍ତୁ ବର୍ତ୍ତମାନ ସେ ଯାହା କରୁଛନ୍ତି ତାହା ମୋତେ ପସନ୍ଦ ନୁହେଁ।
ରାଷ୍ଟ୍ରପତି ଟ୍ରମ୍ପଙ୍କ ମନ୍ତବ୍ୟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି ଯେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ଗଭୀର ଭାବରେ ପ୍ରଶଂସା କରନ୍ତି ଏବଂ ପୂର୍ଣ୍ଣ ସମର୍ଥନ କରନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଏକ ବ୍ୟାପକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ଆଡକୁ ଗତି କରୁଛି। ସେ ବିଶ୍ୱାସ କରିଛନ୍ତି ଯେ ଦୁଇ ଦେଶର ସହଭାଗୀତା ବିଶ୍ୱ ପାଇଁ ସକାରାତ୍ମକ ଫଳାଫଳ ଆଣିବ।









