କୁଏତ, ଦୁବାଇ ଏବଂ ଇସ୍ରାଏଲ ଉପରେ ମିସାଇଲ୍ ମାଡ଼ କଲା ଇରାନ

ଇରାନ୍ ଉପରେ ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଆକ୍ରମଣ କରିଥିଲେ । ଏହି ଯୁଦ୍ଧକୁ ୩୦ ଦିନ ବିତିଛି, କିନ୍ତୁ ତୀବ୍ରତା ବୃଦ୍ଧି ପାଇଛି । ଇରାନ୍ ଦେଉଛି ଜୋରଦାର ଜବାବ । ଇସ୍ରାଏଲ ସମେତ ନିଜର ପଡ଼ୋଶୀ ଗଲ୍ଫ ଦେଶଙ୍କୁ ଟାର୍ଗେଟ କରୁଛି ଇରାନ୍ । ଘନଘନ ମିସାଇଲ୍ ମାଡ଼ରେ ୟୁଏଇ, କୁଏତ ଏବଂ ସାଉଦି ଆରବ ଭଳି ଦେଶ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ଯୁଦ୍ଧ ମଧ୍ୟରେ ଗଲ୍ଫ ଦେଶ ଉପରେ ଆକ୍ରମଣ କରାଯିବ ନାହିଁ ବୋଲି ଇରାନ ରାଷ୍ଟ୍ରପତି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହାର କିଛି ଦିନ ପରେ ଇରାନ୍ ପକ୍ଷରୁ ଏହି ସବୁ ଦେଶ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ ଶନିବାର ଇରାନ୍, କୁଏତ, ଦୁବାଇ ଏବଂ ଇସ୍ରାଏଲ ଉପରେ ମିସାଇଲ୍ ମାଡ଼ କରିଥିବା ଜଣାପଡ଼ିଛି ।

ଇରାନୀୟ ସେନା ଶନିବାର କହିଛି ଯେ, ୟୁଏଇରେ ଥିବା ୟୁକ୍ରେନର ଡ୍ରୋନ ପ୍ରତିରୋଧୀ ପ୍ରଣାଳୀ ଉପରେ ଆକ୍ରମଣ କରାଯାଇଛି । ଏହି ପ୍ରଣାଳୀ ଆମେରିକୀୟ ସେନାକୁ ସହାୟତା କରିବା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିଲା । ଇରାନର କେନ୍ଦ୍ରୀୟ ସେନା ଅଭିଯାନର ମୁଖ୍ୟ ସରକାରୀ ଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୁବାଇରେ ଥିବା ଆମେରିକୀୟ ସୈନିକ ଠିକଣା ସମେତ ୟୁକ୍ରେନୀୟ ଡ୍ରୋନ ପ୍ରତିରୋଧୀ ପ୍ରଣାଳୀକୁ ଟାର୍ଗେଟ କରାଯାଇଛି । ଏହା ପୂର୍ବରୁ ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ୟୁଏଇରେ ପହଞ୍ଚି ଦେଶର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଦୁଇ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ସହମତି ପ୍ରକାଶ କରିଛନ୍ତି ବୋଲି ଜେଲେନସ୍କି କହିଛନ୍ତି ।

ଇସ୍ରାଏଲ ଉପରେ ଆକ୍ରମଣ
ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଶନିବାର ପ୍ରତ୍ୟୁଷରେ ଇସ୍ରାଏଲରେ ଏକ କ୍ଷେପଣାସ୍ତ୍ର ମାଡ଼ କରିଥିବା ଦାବି କରିଛନ୍ତି । ଏହା ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସେମାନଙ୍କର ପ୍ରଥମ ଆକ୍ରମଣ। ଇସ୍ରାଏଲୀ ସେନା କହିଛି ଯେ, ଏହି କ୍ଷେପଣାସ୍ତ୍ରକୁ ଆକାଶରେ ଧ୍ବଂସ କରାଯାଇଛି । ଇସ୍ରାଏଲ ଶୁକ୍ରବାର ତେହେରାନ ବିରୁଦ୍ଧରେ ଏହାର ଅଭିଯାନକୁ ‘ତୀବ୍ର ଏବଂ ବିସ୍ତାର’ କରିବାକୁ ଧମକ ଦେଇଥିଲା । ଏହାର କିଛି ଘଣ୍ଟା ପରେ ଇସ୍ରାଏଲ ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା।