ଚଳିତବର୍ଷ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପରେଡ୍ ଅନୁଷ୍ଠିତ ହେବ। ଏଥିପାଇଁ ପରେଡ ଅଭ୍ୟାସ ଆରମ୍ଭ ହୋଇଛି। ମଙ୍ଗଳବାର ମଧ୍ୟ ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ପରେଡ୍ ଏବଂ ବୁଧବାର ସକାଳ ୭ରୁ ୧୧ଟା୩୦ ଯାଏ ପୂର୍ଣ୍ଣ ଅଭ୍ୟାସ ପରେଡ୍ ଅନୁଷ୍ଠିତ ହେବ। ଏଥିସହ ୧୫ ତାରିଖରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପରେଡ୍ ସକାଳ ୬ଟାରୁ ଆରମ୍ଭ ହେବାକୁ ଥିବାବେଳେ ସର୍ବସାଧାରଣଙ୍କ ସୁଗମନାଗମନ ଓ ପାର୍କିଂ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି।
କଟକଣା ସମୟରେ କୌଣସି ପ୍ରକାର ଭାରିଯାନ ରାମମନ୍ଦିର ଏବଂ ରାଜମହଲ ଛକ ପାର୍ଶ୍ୱରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ଯିବାକୁ ଦିଆଯିବ ନାହିଁ। କେବଳ ଦୁଇଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଆଡ଼କୁ ଆସିପାରିବ କିନ୍ତୁ ପିଏମ୍ଜି ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ହାଉସିଂବୋର୍ଡ ଛକ ପାର୍ଶ୍ୱରୁ ରବୀନ୍ଦ୍ରମଣ୍ଡପ ଆଡକୁ ଆସୁଥିବା ଯାନବାହନଗୁଡ଼ିକ କେଶରୀ ଟକିଜ୍ଠାରୁ ବାମପାର୍ଶ୍ୱ ଲେନ୍ରେ ଯିବ। ସେହିପରି ଏଜି ଛକରୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ ସୂଚନା ଭବନ ଗଳି ରାସ୍ତା ଦେଇ ଇଡ୍କଲ୍ ଅଡିଟୋରିୟମ୍ ପଟୁ ଯିବ।
୧୨୦ ବାଟାଲିୟନ୍ ଛକରୁ ରବୀନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଏମ୍.ଏଲ୍ଏ କଲୋନୀ ରାସ୍ତା ଦେଇ ୟୁନିଟ-୪ ନମ୍ବର ପାର୍ଶ୍ୱକୁ ଯିବେ। ମହାତ୍ମାଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍ ଓ ବାଇଲେନ୍ଗୁଡ଼ିକରେ ଯାନବାହନ ଚଳାଚଳ ବନ୍ଦ ରହିବ। ତେବେ ଏହି ନିର୍ଦ୍ଦେଶନାମା ଉଲ୍ଲଂଘନକାରୀଙ୍କଠାରୁ ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ଧାରା ୯୬ ଅନୁଯାୟୀ ୫୦୦ କିମ୍ବା ୧୦୦୦ ଟଙ୍କା ଜରିମାନା ନିଆଯିବ ବୋଲି ସୂଚନା ଦିଆଯାଇଛି।









