ଆଜି ପୁଣି ପାକିସ୍ତାନକୁ ହରାଇବ ଭାରତ !

ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ମୁକାବିଲା | ଆଜି ପୁଣି ପାକିସ୍ତାନକୁ ହରାଇବ ଭାରତ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି । ଆମେ ପାକିସ୍ତାନକୁ ହରାଇବୁ ।  ଉଭୟ ଦଳ ସେମାନଙ୍କ ପ୍ରଥମ ସୁପର-୪ ମ୍ୟାଚ୍‌ ଖେଳିବେ। ସ୍ବାଭାବିକ ଭାବେ ଉଭୟ ଦଳ ପ୍ରଥମ ମ୍ୟାଚ୍‌ ଜିତି ଫାଇନାଲ ଆଡ଼କୁ ପାଦ ବଢ଼ାଇବାକୁ ଚାହିଁବେ। ଗତ ୧୪ରେ ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ଭାରତ ସହଜରେ ୭ ୱିକେଟ୍‌ରେ ପରାସ୍ତ କରିଥିଲା। ତେବେ ଉକ୍ତ ମ୍ୟାଚ୍‌ର ଫଳାଫଳ ଅପେକ୍ଷା ବିବାଦୀୟ ପରିସ୍ଥିତି କ୍ରିକେଟ୍‌ ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଥିଲା। ଟସ୍‌ ପରେ ଦୁଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ସଲ୍‌ମାନ ଆଗା ହାତ ମିଳାଇ ନଥିଲେ। ମ୍ୟାଚ ଶେଷ ପରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ମ୍ୟାଚ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଲାଗି ଦାବି କରିଥିଲା। ପୁଣି ପାକିସ୍ତାନକୁ ହରାଇବା ପରେ ସୂର୍ଯ୍ୟକୁମାର ପହଲଗାଓଁ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ପ୍ରସଙ୍ଗ ଉଠାଇବାକୁ ପାକିସ୍ତାନ ସହଜରେ ଗ୍ରହଣ କରିନଥିଲା। ଏପରି ସ୍ଥିତିରେ ରବିବାର ଉଭୟ ଦଳ ପୁଣି ମୁହାଁମୁହିଁ ହେବାକୁ ଯାଉଥିବା ବେଳେ ଉଭୟ ଦଳର ଖେଳାଳି ପ୍ରଥମ ମ୍ୟାଚ୍‌ କଥା ଭୁଲିନଥିବେ। ଏପରି ସ୍ଥିତିରେ ମ୍ୟାଚ୍‌ ଜିତି ପରସ୍ପରଙ୍କୁ କଡ଼ା ଜବାବ ଦେବାକୁ ଉଭୟ ଦଳ ଚାହିଁବେ।

ସୁପର-୪ ମୁକାବିଲା ସମସ୍ତ ଦଳଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ସାରା କ୍ରିକେଟ୍‌ ଦୁନିଆର ନଜର ଏହି ମ୍ୟାଚ୍‌ ଉପରେ ରହିବ। ତେବେ ଉଭୟ ଦଳର ସାମର୍ଥ୍ୟକୁ ଦେଖିଲେ ଭାରତ ଏହି ମ୍ୟାଚ୍‌ ଜିତିବାକୁ ଫେଭରିଟ୍‌। ଜିତିବାକୁ ହେଲେ ପାକିସ୍ତାନକୁ କିଛି ଚମତ୍କାର କ୍ରିକେଟ୍‌ ଖେଳିବାକୁ ପଡ଼ିବ। ପାକିସ୍ତାନର କୌଣସି ବ୍ୟାଟ୍‌ସମ୍ୟାନ୍ ୩ଟି ମ୍ୟାଚ୍‌ରୁ ମୋଟ ୧୦୦ ରନ୍‌ କରି ପାରିନାହାନ୍ତି। ମହମ୍ମଦ ହାରିସ୍‌ ଓ ଫଖର ଜମାନ ଅର୍ଦ୍ଧଶତକ ମାରିଛନ୍ତି; ତାହା ପୁଣି ଦୁର୍ବଳ ଓମାନ୍ ଓ ୟୁଏଇ ବିପକ୍ଷରେ।

ସାହେବଜାଦା ଫରହାନଙ୍କ ଷ୍ଟ୍ରାଇକ୍‌ରେଟ୍‌ ୯୦ରୁ କମ୍‌। ଏ ତିନି ଜଣଙ୍କୁ ଛାଡ଼ି କେହି ମୋଟ ୨୫ ରନ୍‌ ମଧ୍ୟ କରିନାହାନ୍ତି। କାମଚଳା ଅଫ୍‌ସ୍ପିନର ସୈମ୍ ଆୟୁବ ସର୍ବାଧିକ ୬ଟି ୱିକେଟ୍‌ ନେଇଛନ୍ତି।  ମହମ୍ମଦ ନୱାଜ୍‌ଙ୍କୁ ପାକିସ୍ତାନ ପ୍ରଶିକ୍ଷକ ମାଇକ୍ ହେସନ୍ ବିଶ୍ବର ସର୍ବଶ୍ରେଷ୍ଠ ସ୍ପିନର କହିଥିବା ବେଳେ ସେ ୩ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ୱିକେଟ୍‌ ନେଇଛନ୍ତି।  ଶୁକ୍ରବାର ଓମାନ୍ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ଯେପରି ପ୍ରଦର୍ଶନ କରିଥିଲା, ପାକିସ୍ତାନକୁ ଏହା ଆତ୍ମବିଶ୍ବାସ ଦେବ। ଭାରତୀୟ ବୋଲର ଓମାନ୍‌ର ମାତ୍ର ୪ଟି ୱିକେଟ୍‌ ନେଇ ପାରିଥିଲେ ଏବଂ ୧୬୭ ରନ୍‌ ଦେଇଥିଲେ। ଭାରତ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଓମାନ୍‌ର ୨ ଜଣ ଅର୍ଦ୍ଧଶତକ ମାରିଥିଲେ।

ଶୁଭମନ ଗିଲ୍‌ଙ୍କୁ ବାମହାତି ପେସ୍‌ ବୋଲର ଶାହା ଫୈଜଲ ବୋଲ୍‌ଡ କରିବା ପରେ ଅନ୍ୟ ବ୍ୟାଟ୍‌ସମ୍ୟାନଙ୍କୁ ନିୟମିତ ବିଟ୍‌ କରିଥିଲେ। ଭାରତ ଯଶପ୍ରୀତ ବୁମ୍‌ରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ବିଶ୍ରାମ ଦେଇଥିବା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଦୁହେଁ ଖେଳିବେ। ଓମାନ୍ ବିପକ୍ଷ ମ୍ୟାଚ୍‌ରେ ମୁଣ୍ଡରେ ଆଘାତ ପାଇଥିବା ଅକ୍ଷର ପଟେଲ ଯଦି ଫିଟ୍‌ ନ ହୁଅନ୍ତି; ତାଙ୍କ ସ୍ଥାନରେ ଅର୍ଶଦୀପ ସିଂହ କିମ୍ବା ହର୍ଷିତ ରାଣା ଖେଳିପାରନ୍ତି। ଦୁବାଇରେ ପେସ୍‌ ବୋଲର ସହାୟତା ପାଇଥିବା ବେଳେ ଦୁବାଇରେ ସ୍ପିନରଙ୍କୁ ସହାୟତା ମିଳିବ।

Leave a Reply

Your email address will not be published. Required fields are marked *