ମହିଳାଙ୍କ ପାଇଁ ପୂରା ଓଡ଼ିଶା ସୁରକ୍ଷିତ

କେବଳ ଭୁବନେଶ୍ୱର ନୁହେଁ, ମହିଳାଙ୍କ ପାଇଁ ପୂରା ଓଡ଼ିଶା ସୁରକ୍ଷିତ। ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ।  ଅପରାଧୀମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି

ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ଶୁକ୍ରବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି।  ସର୍ଭେରେ ମହିଳାମାନଙ୍କ ପାଇଁ ଦେଶର ସବୁଠୁ ନିରାପଦ ସହର ମଧ୍ୟରେ ଭୁବନେଶ୍ୱର ସମେତ କୋହିମା, ବିଶାଖାପଟଣା, ଐଜଓ୍ବଲ, ଗାଙ୍ଗ୍‌ଟକ୍‌, ଇଟାନଗର ଏବଂ ମୁମ୍ବାଇ ରହିଛି। ଅନ୍ୟପକ୍ଷରେ ପାଟନା, ଜୟପୁର, ଫରିଦାବାଦ, ଦିଲ୍ଲୀ, କୋଲକାତା, ଶ୍ରୀନଗର ଏବଂ ରାଞ୍ଚି ସବୁଠୁ ନିମ୍ନ ର଼୍ୟାଙ୍କରେ ରହିଥିବା ଜାତୀୟ ମହିଳା ସୁରକ୍ଷା ବାର୍ଷିକ ରିପୋର୍ଟ ଓ ସୂଚକାଙ୍କ (ଏନ୍‌ଏଆର୍‌ଆଇ) ୨୦୨୫ରୁ ଜଣାପଡ଼ିଛି।

ଭୁବନେଶ୍ୱର, କୋହିମା ଓ ଶୀର୍ଷ ର଼୍ୟାଙ୍କ୍‌ରେ ଥିବା ଅନ୍ୟ ସହରଗୁଡ଼ିକରେ ଲିଙ୍ଗଗତ ସମାନତା, ନାଗରିକ ଅଂଶଗ୍ରହଣ, ନୀତି ନିର୍ଦ୍ଧାଣ, ମହିଳା ଅନୁକୂଳ ଭିତ୍ତିଭୂମିରେ ସୁଦୃଢ଼ ରହିଛି। ଅନ୍ୟପକ୍ଷରେ ପାଟନା, ଜୟପୁର ଭଳି ସହର ଦୁର୍ବଳ ଆନୁଷ୍ଠାନିକ ଉତ୍ତରଦାୟିତ୍ୱ, ପିତୃସତ୍ତାତ୍ମକ ମାନଦଣ୍ଡ ଏବଂ ସହରାଞ୍ଚଳ ଭିତ୍ତିଭୂମିରେ ପାର୍ଥକ୍ୟ ଯୋଗୁ ଖରାପ ର଼୍ୟାଙ୍କ୍‌ରେ ରହିଛନ୍ତି।
ସର୍ଭେରେ ଭାଗନେଇଥିବା ପ୍ରତି ୧୦ ମହିଳାଙ୍କ ମଧ୍ୟରୁ ୬ ଜଣ ସେମାନଙ୍କ ସହରରେ ସୁରକ୍ଷିତ ଅନୁଭବ କରୁଥିବା କହିଥିବାବେଳେ ୪୦% ସେତେଟା ସୁରକ୍ଷିତ ନୁହନ୍ତି କିମ୍ବା ଅସୁରକ୍ଷିତ ମଣୁଥିବା ମତ ରଖିଥିଲେ। ରାତିରେ ସୁରକ୍ଷାକୁ ନେଇ ରହିଥିବା ଧାରଣାରେ ତୀବ୍ର ହ୍ରାସ ଦେଖାଦେଇଛି। ବିଶେଷ କରି ସର୍ବସାଧାରଣ ପରିବହନ ଏବଂ ମନୋରଞ୍ଜନ ସ୍ଥଳରେ ସେମାନେ ସର୍ବାଧିକ ଅସୁରକ୍ଷିତ ବୋଲି ବିବେଚନା କରୁଛନ୍ତି। ଦିନବେଳା ଶିକ୍ଷାନୁଷ୍ଠାନଗୁଡ଼ିକ ୮୬% ସୁରକ୍ଷିତ ବୋଲି ମତ ପ୍ରକାଶ ପାଇଥିବାବେଳେ ରାତିରେ କିମ୍ବା କ୍ୟାମ୍ପସ୍‌ ବାହାରେ ସୁରକ୍ଷାଗତ ଧାରଣା ଯଥେଷ୍ଟ ହ୍ରାସ ପାଇଛି। ନିରାପଦ ସମ୍ପର୍କିତ ଅଭିଯୋଗ ଉପରେ କର୍ତ୍ତୃପକ୍ଷ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଶ୍ୱାସ ଥିବା ମାତ୍ର ଏକ-ଚତୁର୍ଥାଂଶ ମହିଳା କହିଛନ୍ତି। ବର୍ତ୍ତମାନ ସୁରକ୍ଷା ଉଦ୍ୟମ ପର୍ଯ୍ୟାପ୍ତ ବୋଲି ୬୯% ମତ ଦେଇଥିବାବେଳେ ଯଥେଷ୍ଟ ବ୍ୟବଧାନ ବା ବିଫଳତା ରହିଥିବା ୩୦% କହିଛନ୍ତି। ଗତବର୍ଷ ସର୍ବସାଧାରଣ ସ୍ଥାନରେ ହଇରାଣ ହୋଇଥିବା ୭% ମହିଳା କହିଛନ୍ତି। ୨୪ ବର୍ଷରୁ କମ୍‌ ବୟସର ମହିଳାଙ୍କ କ୍ଷେତ୍ରରେ ଏହା ୧୪%। ପଡୋଶୀଙ୍କଠାରୁ ୩୮% ଏବଂ ସର୍ବସାଧାରଣ ପରିବହନରେ ୨୯% ମହିଳା ହଇରାଣର ସମ୍ମୁଖୀନ ହେଉଥିବା କହିଛନ୍ତି। ପ୍ରତି ୩ ଜଣରେ ଜଣେ ଘଟଣା ସମ୍ପର୍କରେ ରିପୋର୍ଟ କରିବାକୁ ଆଗେଇ ଆସିଥାନ୍ତି।

Leave a Reply

Your email address will not be published. Required fields are marked *