ୱାଶିଂଟନ୍ : ଆମେରିକାର ହ୍ୱାଇଟ୍ ହାଉସ୍ ନିକଟରେ ଜଣେ ଆଫଗାନ୍ ବ୍ୟକ୍ତିଙ୍କ ଗୁଳିମାଡ଼ରେ ନ୍ୟାଶନାଲ୍ ଗାର୍ଡର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ଡୋନାଲ୍ଡ ଏହି ପ୍ରସଙ୍ଗରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ କ୍ଷମତାକୁ ଫେରିଲେ ଅନ୍ୟ ଦେଶରୁ ବେନିୟମ ଭାବେ ଆମେରିକା ଆସିଥିବା ସମସ୍ତଙ୍କୁ ବାହାର କରିଦେବେ । ଟ୍ରମ୍ପଙ୍କ ଏହି କଠୋର ପଦକ୍ଷେପ ବିଶ୍ୱସ୍ତରରେ ବଡ଼ ଧରଣର ପ୍ରଭାବ ପକାଇବା ନେଇ ଆଲୋଚନା ହେଉଛି। ନିଯୁକ୍ତି, ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆମେରିକା ଆସିଥିବା କୋଟି କୋଟି ବିଦେଶୀ ଲୋକ ଏଥିରେ ପ୍ରଭାବିତ ହେବେ।
ଟ୍ରମ୍ପ୍ ପ୍ରଶାସନ ଘୋଷଣା କରିଛି ଯେ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଦେଶୀମାନଙ୍କୁ ବିଦା କରାଯିବ ଏବଂ ‘ଚିନ୍ତାଜନକ ଦେଶଗୁଡ଼ିକରୁ’ ଜାରି ହୋଇଥିବା ସମସ୍ତ ଗ୍ରୀନ୍କାର୍ଡର ପୁନଃ ଯାଞ୍ଚ କରାଯିବ। ନ୍ୟାଶନାଲ ଗାର୍ଡ ସଦସ୍ୟଙ୍କ ମୃତ୍ୟୁ ପରେ ଟ୍ରମ୍ପ୍ ପ୍ରଶାସନ ଆପ୍ରବାସନ ଉପରେ ଚଢ଼ାଉକୁ ଜୋରଦାର କରିଛି। ‘ଟ୍ରୁଥ୍ ସୋସିଆଲ୍’ରେ ଏକ ପୋଷ୍ଟ କରି ଟ୍ରମ୍ପ୍ କହିଛନ୍ତି ଯେ ଆମେରିକା ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଗତି କରୁଥିଲେ ମଧ୍ୟ ଏଥିରୁ ହେଉଥିବା ଲାଭ ଦେଶର ତ୍ରୁଟିପୂର୍ଣ୍ଣ ପ୍ରବାସନ ନୀତି ଯୋଗୁଁ ନଷ୍ଟ ହେଉଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୋ ବାଇଡେନ୍ଙ୍କ ଶାସନ କାଳରେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ବହୁ ଲୋକଙ୍କୁ ବିଦା କରାଯିବ। ଯେଉଁମାନେ ଆମେରିକାର ସମ୍ପତ୍ତି ନୁହନ୍ତି କିମ୍ବା ଦେଶକୁ ଭଲ ପାଉନାହାନ୍ତି, ସେମାନଙ୍କୁ ବାହାର କରିଦିଆଯିବ ବୋଲି ସେ ଲେଖିଛନ୍ତି।









