ଓଡ଼ିଶା ସରକାର ରାଜ୍ୟକୁ ଆଳୁ ଏବଂ ଡାଲି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ଆଉ ଆଳୁ ପାଇଁ ପଶ୍ଚିମବଙ୍ଗ ଏବଂ ଡାଲି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବା ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଆଳୁ ଏବଂ ଡାଲି ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି। ସେହିପରି ପଶ୍ଚିମବଙ୍ଗ ଆଉ ନାଲି ଦେଖାଇ ପାରିବ ନାହିଁ। ଆଳୁ ଚାଷ ପାଇଁ ୩ ଲକ୍ଷ ମେଟ୍ରିକ ଟନ ଆଳୁ ବିହନ ଯୋଗାଇ ଦିଆଯାଇଛି। ୧୩ ଶୀତଳଭଣ୍ଡାର କାମ ଆରମ୍ଭ ହୋଇଛି। ଆଶା ଯେତିକି ଆଳୁ ବାହାରିବ ରାଜ୍ୟର ଆବଶ୍ୟକତା ପୂରଣ ହେଇଯିବ।
କୃଷି ବିଭାଗ ପକ୍ଷରୁ ରବି ଫସଲ ଅଭିଯାନ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ଚଳିତ ବର୍ଷ ବର୍ଷାର ପରିମାଣ ଭଲ ହୋଇଛି। ରବି ଅମଳ ଭଲ ହୋଇପାରିବ। ତେଣୁ ବିଶେଷ କରି ଡାଲି ଏବଂ ତୈଳବିଜ ଚାଷ ପାଇଁ ରବିଋତୁରେ ଅଭିଯାନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବେ। ଆସନ୍ତା ୧୦ ଓ ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗ ଦେବେ। ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ମିସନ ଅଧୀନରେ ଭାରତରେ ଡାଲି ଉତ୍ପାଦନ ବୃଦ୍ଧି ପାଇଛି। ଆଥିର୍କ ବର୍ଷ ୨୦୧୪-୧୫ରେ ଦେଶରେ ୧୬୩.୨୩ ଲକ୍ଷ ଟନ୍ ଡାଲି ଉତ୍ପାଦନ ହେଉଥିବା ବେଳେ ଆର୍ଥିକ ବର୍ଷ ୨୦୨୪ରେ ଏହା ୨୪୪.୯୩ ଲକ୍ଷ ଟନ୍ ଡାଲି ଉତ୍ପାଦନ ହୋଇପାରିଛି। ଡାଲି ଉତ୍ପାଦନ ପାଇଁ ଆତ୍ମନିର୍ଭରତା ମିସନ ଜାରି ରହିଛି। ଡାଲି ଉତ୍ପାତନ କ୍ଷେତ୍ରରେ ବିଶ୍ବରେ ଭାରତ ୧ ନମ୍ବର ରହିଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ରାଜସ୍ଥାନରେ ସର୍ବାଧିକ ଡାଲି ଉତ୍ପାଦନ ହେଉଥିବା ବେଳେ ଉତ୍ତର ପ୍ରଦେଶ, କର୍ଣ୍ଣାଟକରେ ମଧ୍ୟ ସ୍ଥିତି ଏକ ପ୍ରକାର ଭଲ ଅଛି। ଓଡ଼ିଶାରେ କିଛି ପରିମାଣରେ ଏହା ଉତ୍ପାଦନ ହେଉଛି। ତେବେ ଓଡ଼ିଶାରେ ଉତ୍ପାଦନ ହେଉଥିବା ଡାଲି ସ୍ଥାନୀୟ ବଜାର ପର୍ଯ୍ୟନ୍ତ ସୀମିତ ରହିଯାଉଛି। ଏହାକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।