ଏସିଆ କପ୍‌ ପାଇଁ ଭାରତୀୟ ଟି୨୦ ଦଳ ଘୋଷିତ : ଗିଲ ଉପଅଧିନାୟକ

ଏସିଆ କପ୍‌ ପାଇଁ ଭାରତୀୟ ଟି୨୦ ଦଳ ଘୋଷିତ ହୋଇଛି ।  ଗିଲ ଉପଅଧିନାୟକ ହୋଇଛନ୍ତି ।  ଇଂଲଣ୍ଡରେ ଚମକପ୍ରଦ ପ୍ରଦର୍ଶନ ପରେ ଶୁବମନ୍ ଗିଲ୍‌ ଏସିଆ କପ୍ ପାଇଁ ଭାରତୀୟ ଟି୨୦ ଦଳକୁ ଫେରିଛନ୍ତି। ଟେଷ୍ଟ୍‌ ଦଳର ଏହି ଯୁବ ଅଧିନାୟକଙ୍କୁ ଟି୨୦ ଫର୍ମାଟ୍‌ର ଉପଅଧିନାୟକ ପଦ ମିଳିଛି। ଅକ୍ଷର ପଟେଲ୍‌ଙ୍କ ବଦଳରେ ତାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ ଟି୨୦ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି।

ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ଶୁବମନ୍ ଗିଲ୍ (ଉପଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂହ, ଅଭିଷେକ ଶର୍ମା, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଯଶପ୍ରୀତ୍ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ହର୍ଷିତ ରାଣା, ରିଂକୁ ସିଂହ ଏବଂ ସଂଜୁ ସାମସନ୍।
ସଂରକ୍ଷିତ ଖେଳାଳି: ପ୍ରସିଦ୍ଧ କ୍ରିଷ୍ଣା, ୱାସିଂଟନ୍ ସୁନ୍ଦର, ରିୟାନ୍ ପରାଗ, ଧ୍ରୁବ ଜୁରେଲ, ‌ଯଶସ୍ବୀ ଜୟସ୍ବାଲ।

ଦଳରେ କିନ୍ତୁ ଶ୍ରେୟସ୍‌ ଆୟର କିମ୍ବା ଯଶସ୍ବୀ ଜୟସ୍ବାଲ୍‌ଙ୍କୁ ସ୍ଥାନ ମିଳି ନାହିଁ। ସୂର୍ଯ୍ୟ କୁମାର ୟାଦବଙ୍କ ନେତୃତ୍ବାଧୀନ ଦଳରେ ଅଭିଷେକ ଶର୍ମା ଓ ସଂଜୁ ସାମ୍‌ସନ ପ୍ରାରମ୍ଭିକ ବ୍ୟାଟର୍ ଭାବେ ସ୍ଥାନ ପାଇଛନ୍ତି। ଗିଲ୍‌ଙ୍କ ସହ ସେମାନେ ଦଳର ପୁରୋଭାଗ ବିକଳ୍ପ ରହିବେ।

ମଧ୍ୟ ଓ ନିମ୍ନଭାଗ ବ୍ୟାଟିଂ ବିକଳ୍ପଭାବେ ଅଧିନାୟକ ସୂର୍ଯ୍ୟକୁମାରଙ୍କ ସହ ତିଳକ ବର୍ମା, ରିଂକୁ ସିଂହ, ଜିତେଶ ଶର୍ମା ପ୍ରମୁଖ ଅଛନ୍ତି। ଯଦି ଦଳ ଗିଲ୍‌ ଓ ଅଭିଷେକଙ୍କୁ ନେଇ ପାଳି ଆରମ୍ଭ କରେ ତାହେଲେ ୱିକେଟ୍‌ରକ୍ଷକ ଭାବେ ଜିତେଶ ଦଳର ପ୍ରଥମ ପସନ୍ଦ ହୋଇପାରନ୍ତି।

ଏହାଛଡ଼ା ଦଳରେ ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେଙ୍କ ରୂପରେ ୩ ଜଣ ଅଲ୍‌ରାଉଣ୍ଡର୍‌ ଅଛନ୍ତି।  ବୋଲର୍‌ ଭାବେ ଯଶପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଏବଂ ହର୍ଷିତ ରାଣା ୧୫ ଜଣିଆ ଦଳରେ ଅଛନ୍ତି, ଯାହାଦ୍ବାରା ନିମ୍ନକ୍ରମରେ ବି ବ୍ୟାଟିଂ ବଳ ମିଳିପାରିବ।

 

Leave a Reply

Your email address will not be published. Required fields are marked *