ଆଲୋକର ପର୍ବ ଦୀପାବଳି ପାଇଁ ଧୀରେଧୀରେ ଛୋଟ ପିଲାଙ୍କ ଠାରୁ ଯୁବପିଢ଼ିମାନଙ୍କ ପର୍ଯ୍ୟନ୍ତ ଉତ୍ସାହ ଦେଖାଯାଇଛି। ବଜାରରେ ଦୀପ ଓ ବାଣ ପସରା ବସିଛି। ରାଜ୍ୟ ସରକାର ଦୀପାବଳିକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ଦୀପାବଳି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ସେହିପରି ଦୀପାବଳିରେ ଛୁଟି ନେଇ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଚିଠି ଜାରି କରିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦୀପାବଳି ଅବସରରେ ଆସନ୍ତା ସୋମବାର (୨୦୨୫ ଅକ୍ଟୋବର ୨୦)ରେ ଅତିରିକ୍ତ ଛୁଟି ରହିବ। ଏହି ଅବସରରେ ଉଚ୍ଚ ଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ରାଜ୍ୟର ବିଶ୍ବବିଦ୍ୟାଳୟ ଏବଂ କଲେଜଗୁଡ଼ିକ ଛୁଟି ରହିବ। ନୂଆପଡ଼ା ଜିଲ୍ଲାରେ ଉପନିର୍ବାଚନ ଥିବାରୁ ଏହି ନିୟମ ଲାଗୁ ହେବ ନାହିଁ।









