ଶନିବାର ଦିନ ମହାରାଷ୍ଟ୍ର ର ନନ୍ଦୁରବାରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅତି କମରେ ଆଠ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ବସଟି ଚାନ୍ଦଶାଳୀ ଘାଟରେ ନିୟନ୍ତ୍ରଣ ହରାଇ ଗଭୀର ଖାଇରେ ଖସି ପଡ଼ିଥିଲା। ପୁଲିସ କହିଛି ଯେ ଏହି ଘଟଣା ଘଟିବା ସମୟରେ ପୀଡିତମାନେ ଅଷ୍ଟମ୍ବା ଦେବୀ ମନ୍ଦିର ଦର୍ଶନ କରି ଫେରୁଥିଲେ। ଘାଟିରାସ୍ତାରେ ବସ ଚଳାଇବା ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯାହା ଫଳରେ ଗାଡ଼ିଟି ଗର୍ତ୍ତରେ ଖସି ପଡ଼ିଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ଯାତ୍ରୀମାନେ ବସରୁ ବାହାରକୁ ଛିଟିକି ପଡ଼ିଥିଲେ।ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । ସାମାନ୍ୟ ଆହତ ହୋଇଥିବା ଲୋକମାନଙ୍କୁ ତାଲୋଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା । ଗୁରୁତର ଆହତମାନଙ୍କୁ ଜିଲ୍ଲା ହସପିଟାଲକୁ ପଠାଯାଇଥିଲା। ଅଷ୍ଟମ୍ବା ମନ୍ଦିର ମହାରାଷ୍ଟ୍ରର ଏକ ପ୍ରମୁଖ ଦେବୀପୀଠ । କେବଳ ମହାରାଷ୍ଟ୍ର ନୁହେଁ, ପଡ଼ୋଶୀ ଗୁଜରାଟରୁ ଅନେକ ତୀର୍ଥଯାତ୍ରୀ ଏଠାକୁ ଦର୍ଶନ କରିବାକୁ ଆସନ୍ତି ।








