ପ୍ରଭୁ ଜଗନ୍ନାଥ, ପ୍ରଭୁ ବଡ଼ଠାକୁର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀକ୍ଷେତ୍ରର ଏହି ଦିବ୍ୟମାଟିରେ ଉପସ୍ଥିତ ହବିଷ୍ୟାଳୀଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମୁଁ ପ୍ରଭୁଙ୍କ ଭକ୍ତଭାବରେ ଏଠାକୁ ଦ୍ବିତୀୟ ଥର ଆସିଛି। ପୂର୍ବରୁ ଗତବର୍ଷ ଏଠାକୁ ଆସିଥିଲି। ହବିଷ୍ୟର ଆଧ୍ୟାତ୍ମିକର ମହତ୍ବ ଆପଣମାନଙ୍କୁ ଭଲ ଭାବରେ ଜଣା ଅଛି। କାର୍ତ୍ତିକ ହେଉଛି ଭକ୍ତିର ମାସ ଭାବେ ବିବେଚନା କରାଯାଏ। ଶତାଦ୍ଦୀ ଶତାଦ୍ଦୀ ଧରି ଓଡ଼ିଆମାଆମାନେ ହବିଷ୍ୟ କରି କରିଆସୁଛନ୍ତି। ଏହି ବ୍ରତ ପ୍ରାର୍ଥନାର ବ୍ରତ। ଏହି ବ୍ରତ ମାଧ୍ୟମରେ କେବଳ ମନକୁ ଶାନ୍ତି ଦେଇ ନଥାଏ, ବରଂ ଆମ ଚାରିପାଖର ସମାଜକୁ ମଧ୍ୟ ଆଶୀର୍ବାଦ କରିଥାନ୍ତି।
କାର୍ତ୍ତିକ ମାସର ପ୍ରଥମ ସୋମବାର ଅବସରରେ ବୃନ୍ଦାବତୀ ନିବାସରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କାର୍ତ୍ତିକ ବ୍ରତ ହେଉଛି ଓଡ଼ିଶାର ଜୀବନ୍ତ ସଂସ୍କୃତି ଏବଂ ଅନନ୍ୟ ପରଂପରା ଅଟେ। ହବିଷ୍ୟାଳୀମାନଙ୍କ ମଧ୍ୟରୁ ଅନେକ କେବଳ ଏକା ଆସିଥାନ୍ତି। ନିଜ ପରିବାର ଛାଡ଼ି ଏକ ମାସ ଏଠାରେ ବିତାଇ ଥାନ୍ତି। ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବାର ସହିତ ଆଶୀର୍ବାଦ ମାଗି ଦୀପ ଜାଳିଥାନ୍ତି। କାର୍ତ୍ତିକ ମାସରେ ଆପଣମାନେ ଜଳାଉଥିବା ଦୀପ ଆମ ରାଜ୍ୟର ନୈତିକ ଓ ଆଧ୍ୟାତ୍ମିକ ଭାବନାକୁ ଜାଗ୍ରତ କରୁଛି। ପୁରୀ କେବଳ ଏକ ସ୍ଥାନ ନୁହେଁ, ଏହା ଏକ ଭାବନା, ଏହା ଏକ ପବିତ୍ର ଅନୁଭବ, ଯାହା ଦିବ୍ୟ ଓ ସାଧାରଣଙ୍କୁ ସଂଯୋଗ କରିଥାଏ। ମହାପ୍ରଭୁ ଶ୍ରୀମନ୍ଦିର ଠାରୁ ମହାନଦୀର ଶାନ୍ତ ତରଙ୍ଗ ପର୍ଯ୍ୟନ୍ତ ପ୍ରତ୍ୟେକ ବାଲିକଣିକା ଶତାଦ୍ଦୀର ଏହି ପ୍ରାର୍ଥନା ବହନ କରେ। ଏଠାରେ ପ୍ରଭୁ ତାଙ୍କର ଭକ୍ତଙ୍କ ସହିତ ବିଚରଣ କରନ୍ତି। କଥା ଶୁଣନ୍ତି ଓ ଆଶୀର୍ବାଦ କରିଥାନ୍ତି। ଏହି ପବିତ୍ର ସ୍ଥଳରେ ଭକ୍ତମାନଙ୍କୁ ସେବା କରିବା ସରକାରଙ୍କ କର୍ତ୍ତବ୍ୟ। ସେମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ସରକାରଙ୍କ ଗୁରୁତ୍ବ।