
ନେପାଳରେ ରାଜତନ୍ତ୍ର ଶେଷ ହେବା ପରେ ଗଣତନ୍ତ୍ର ଶାସନ ଚାଲିଥିଲା । ଏବେ ଜନତା ଏହି ସରକାରକୁ ଉପାଡ଼ି ଫୋପାଡି ଦେଇଛନ୍ତି । ନେପାଳରେ ଦେଖାଯାଇଛି ସବୁଠାରୁ ବଡ଼ ଆନ୍ଦୋଳନ। ପୂର୍ବତନ ପ୍ରଧାନମନ୍ତ୍ରୀ ଝାଲାନାଥ ଖନାଲଙ୍କ ପତ୍ନୀଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି। ଆଉ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀଙ୍କୁ ହିଂସାକାରୀମାନେ ଘରେ ପଶି ମାଡ଼ ମାରିଛନ୍ତି । ଅର୍ଥମନ୍ତ୍ରୀ ବିଷ୍ଣୁ ପୌଡେଲଙ୍କୁ ଦୌଡ଼ାଇ ଦୌଡ଼ାଇ ପିଟିଛନ୍ତି। ନେପାଳର ଯୁବକ-ଯୁବତୀ ସରକାରଙ୍କ ବିରୁଦ୍ଧରେ ରାସ୍ତାରେ ବିଦ୍ରୋହ କରୁଛନ୍ତି। ସବୁଆଡେ ଗୋଟିଏ ନାରା ଶୁଣାଯାଉଛି – “କେପି ଓଲି ଚୋର, ଦେଶ ଛାଡ଼”। ପ୍ରଧାନମନ୍ତ୍ରୀ କେପି ଓଲି ନିଜ ଇସ୍ତଫା ଦେଇସାରିଛନ୍ତି । ଦୁଇ ଦିନରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ନେପାଳର ରାଜଧାନୀ କାଠମାଣ୍ଡୁରେ ଜଳୁଛି ନିଆଁ । ସରକାର ନେତାମନ୍ତ୍ରୀ ଲୁଚିଛନ୍ତି । ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି । ଦେଶରେ ବଡ଼ ଅଶାନ୍ତି ଦେଖାଦେଇଛି । ସଂସଦ, ସୁପ୍ରିମ କୋର୍ଟ, ରାଜନୀତିକ ପାର୍ଟିମାନଙ୍କ ଅଫିସ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଘର, ଆଉ କାଠମାଣ୍ଡୁର ପ୍ରସିଦ୍ଧ ସିଂହ ଦରବାର – ସବୁ ଗୋଟିଏ ଦିନରେ ନିଆଁରେ ଜଳିଯାଇଛି। ସହରର ଆକାଶ କଳା ଧୂଆଁରେ ଭର୍ତ୍ତି ହୋଇଛି ।

ନେପାଳ ସରକାର ୩ ସେପ୍ଟେମ୍ବରରେ ଫେସବୁକ, ଇନଷ୍ଟାଗ୍ରାମ, ଇଉଟ୍ୟୁବ ସମେତ ୨୬ଟି ସୋସିଆଲ ମିଡିଆ ସାଇଟ ଉପରେ ବ୍ୟାନ ଲଗାଇଥିଲେ। କୁହାଯାଉଛି ଯେ ବିକ୍ଷୋଭକାରୀଙ୍କ ରାଗ ଏହି ବ୍ୟାନ ବିରୁଦ୍ଧରେ ପ୍ରଥମେ ଥିଲା ପରେ ଏହା ଭିନ୍ନ କାରଣକୁ ନେଇ ଅଧିକ ହିଂସା ସୃଷ୍ଟି ହୋଇଥିଲା ।
୯ ସେପ୍ଟେମ୍ବରରେ ବିକ୍ଷୋଭକାରୀମାନେ କାଠମାଣ୍ଡୁରେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇଥିଲେ । ୮ ସେପ୍ଟେମ୍ବରରେ ବିକ୍ଷୋଭ ଆରମ୍ଭ ହୋଇଥିଲା । କାରଣ ଥିଲା ସୋସିଆଲ ମିଡିଆ ଉପରେ ବ୍ୟାନ । ହଜାର ହଜାର ଯୁବକ ଏହି ବ୍ୟାନକୁ ବିରୋଧ କରି ଆନ୍ଦୋଳନ କରିଥିଲେ । ୧୨ ହଜାରରୁ ଅଧିକ ଯୁବକ ସଂସଦ ଭବନ ପରିସରରେ ପଶି ନିଆଁ ଲଗାଇଦେଇଥିଲେ। ପରେ ନିଆଁ ସହରରୁ ଗାଁକୁ ବ୍ୟାପିଥିଲା । ବିଭିନ୍ନ ଦଳର କାର୍ଯ୍ୟାଳୟ, ହୋଟେଲରେ ମଧ୍ୟ ହିଂସାକାରୀମାନେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଥିଲା
କିଛି ବିକ୍ଷୋଭକାରୀ କହିଥିଲେ ଯେ “ନେପାଳ ସରକାର ଦକ୍ଷିଣ ଏସିଆର ସବୁଠାରୁ ଭ୍ରଷ୍ଟ ସରକାର। ନେତାମାନେ ବିଦେଶୀ ଦଲାଲ। ସେମାନଙ୍କ ପିଲାମାନେ ଅଷ୍ଟ୍ରେଲିଆ, ଆମେରିକା, ଇଉରୋପ ଯାଉଛନ୍ତି। ଆମେ ଖାଇବା ପାଇଁ ଅସୁବିଧା ଭୋଗୁଛୁ। ଆମକୁ ଦେଶ ଛାଡ଼ି ଚାଲିଯିବାକୁ ପଡୁଛି। ଏବେ ଯୁବକମାନେ ଜାଗି ଉଠିଛନ୍ତି। ନେତାମାନଙ୍କ ଖରାପ ଦିନ ଆସୁଛି।” ଏହା କହି ଯୁବକମାନେ ରାସ୍ତାରେ ଉତ୍ପାତ କରୁଛନ୍ତି ।
୯ ସେପ୍ଟେମ୍ବର ସକାଳ ୭ଟାରେ ଜନତା ଜମା ହେଲେ । ସଂସଦ ଭବନ ରାସ୍ତାରେ ନିଆଁ ଓ ବିକ୍ଷୋଭର ଚିହ୍ନ ଦେଖାଯାଉଥିଲା। ସେଠାରେ କଲେଜ ପିଲାମାନେ ବେଶୀ ଉତ୍ପାତ କରୁଥିଲେ । ପରେ ଦେଖାଗଲା ସଂସଦ ଭବନ ନିଆଁରେ ଜଳୁଛି । ସୁପ୍ରିମକୋର୍ଟ ଜଳୁଛି । ରାଜଧାନୀ ଜଳୁଛି । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଇସ୍ତଫା ଦେବା ପରେ ବିକ୍ଷୋଭ କିଛିଟା ଶାନ୍ତ ପଡ଼ିଛି । ଏବେ ସେନା ସୁରକ୍ଷା ଦାୟିତ୍ବ ସମ୍ଭାଳୁଛି । ନେପାଳର ସରକାର କିପରି ଗଠନ ହେବ ସେ ବିଷୟରେ ସେନା ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । କାରଣ ନେପାଳରେ ଏବେ ସରକାର ନାହିଁ । ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି ।
ସରକାରର ପତନ ପରେ ସେନା ବର୍ତ୍ତମାନ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇଛି। ସେନା ମଧ୍ୟସ୍ଥତାରେ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦର ବର୍ତ୍ତମାନ ପାଇଁ ବନ୍ଦ ରହିବ। ସୁରକ୍ଷା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ନେପାଳରେ ପରିସ୍ଥିତି ଖରାପ ହେବା ଏବଂ ହିଂସା ଘଟଣାକୁ ଦୃଷ୍ଟିରେ ରଖି ଭାରତ ନେପାଳ ସୀମା ସଂଲଗ୍ନ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରିଛି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ କଡା ସୁରକ୍ଷା ସତର୍କତା ଜାରି କରିଛନ୍ତି ଏବଂ ଭାରତ-ନେପାଳ ସୀମାରେ ନିୟୋଜିତ ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ପୋଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।









