ଇଣ୍ଡିଗୋ ପରଫର୍ମାନ୍ସରେ ଲଗାତାର ସୁଧାର ଦେଖାଯାଇଛି, ଉଡାଣ ସଂଖ୍ୟା ୧୬୫୦କୁ ପହଞ୍ଚିଛି

ଇଣ୍ଡିଗୋ ଏୟାରଲାଇନ୍ସ ରେ ବୈଷୟକି ତ୍ରୁଟି ଓ କର୍ମଚାରୀ ଅଭାବ ଯୋଗୁ ଗତ କିଛି ଦିନ ହେଲା ଲାଗି ରହିଥିବା ଫ୍ଲାଇଟ୍ କ୍ୟାନସଲେସନ ଓ ବିଳମ୍ବ ସମସ୍ୟା ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରବିବାର ବଡ ଅପଡେଟ୍ ଦେଇଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଏପର୍ଯ୍ୟନ୍ତ ଯାତ୍ରୀଙ୍କର ମୋଟ ୬୧୦କୋଟି ଟଙ୍କାରୁ ଅଧିକ ରିଫଣ୍ଡ ପ୍ରୋସେସ କରିଦିଆଯାଇଛି। ସେହିପରି ଶନିବାର ସୁଦ୍ଧା ସାରା ଦେଶରେ ଯାତ୍ରୀଙ୍କ ୩ ହଜାର ବ୍ୟାଗ୍ ଡେଲିଭରୀ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ସରକାର ଇଣ୍ଡିଗୋକୁ ରବିବାର ସନ୍ଧ୍ୟା ସୁଦ୍ଧା ରଦ୍ଦ ହୋଇଥିବା ଉଡାଣର ପୁରା ରିଫଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଯାତ୍ରୀଙ୍କ ସାମାନକୁ ପରବର୍ତ୍ତି ୪୮ ଘଣ୍ଟାରେ ସେମାନଙ୍କ ନିକଟକୁ ପହଞ୍ଚାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଇଣ୍ଡିଗୋର ଏଭିଏସନ ନେଟୱାର୍କ ସ୍ୱଭାବିକ ସ୍ଥିତି ଆଡକୁ ଦ୍ରୁତ ଅଗ୍ରସର ହେଉଛି ଓ ପରିଚାଳନା ସ୍ଥିର ହେବା ପର୍ଯ୍ୟନ୍ତ ସଂସ୍କାରମୂଳକ କାର୍ଯ୍ୟକ୍ରମ ଜାରି ରହିବ। ଏବେ ଏୟାରଲାଇନ୍ସ ଉଡାଣ ରଦ୍ଦ ହେବା ଯୋଗୁ ଯାତ୍ରୀଙ୍କଠାରୁ ପୃଥକ ହୋଇଥିବା ସେମାନଙ୍କ ବ୍ୟାଗେଜ୍ ଯେପରି ସେମାନଙ୍କ ନିକଟରେ ପହଞ୍ଚେ ତାହା ସୁନିଶ୍ଚିତ କରାଯିବ।

ବୟାନ ଅନୁସାରେ କ୍ୟାନସେଲେସନ ଯୋଗୁ ପ୍ରଭାବିତ ଯାତ୍ରୀଙ୍କ ଉଡାଣ ପୁନନିର୍ଦ୍ଧାରିତ କରିବା ପାଇଁ କୌଣସି ଅତିରିକ୍ତ ଶୁଳ୍କ ନିଆଯିବ ନାହିଁ। ସେହିପରି ରିଫଣ୍ଡ ଓ ଯେପରି ଯାତ୍ରୀଙ୍କୁ ସସ୍ୟା ନ ହୁଏ ସେଥି ପାଇଁ ଦ୍ୱିତୀୟବାର ବୁକିଂ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ହେଲପଡେସ୍କ ମଧ୍ୟ ସ୍ଥାପନା କରାଯାଇଛି। ମନ୍ତ୍ରାଳୟ କହିଛି ଯେ ପରିଚାଳନା ସଂକଟ ଯୋଗୁ ଉପୁଜିଥିବା ସମସ୍ୟା ତୁରନ୍ତ ଦୂର କରିବାକୁ ଓ ଯାତ୍ରୀଙ୍କୁ ଯେପରି ଲଗାତାର ଅସୁବିଧା ନ ହୁଏ ଏଥି ପାଇଁ ମନ୍ତ୍ରାଳୟ ତ୍ୱରିତ ଓ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣୁ ସାରା ଦେଶରେ ବିମାନ ଯାତ୍ରା ସ୍ୱଭାବିକ ହେବାରେ ଲାଗିଛି। ଅନ୍ୟ ସମସ୍ତ ଘରୋଇ ଏୟାର ଲାଇନ୍ସ ସଞ୍ଚାଳନ ପୁରା କ୍ଷମତା ରେ ଓ ସୁଚାରୁ ରୂପେ ଚାଲୁଛି।

ରବିବାର ଇଣ୍ଡିଗୋ ପରଫର୍ମାନ୍ସରେ ଲଗାତାର ସୁଧାର ଦେଖାଯାଇଛି ଓ ଏହାର ଉଡାଣ ସ୍ତର ସିଡ୍ୟୁଲ ଅନୁସାରେ ଦ୍ରୁତ ସ୍ୱଭାବିକ ହେବାରେ ଲାଗିଛି। ତଥ୍ୟ ଅନୁସାରେ ଶୁକ୍ରାବର ଇଣ୍ଡିଗୋ ଉଡାଣ ସଂଖ୍ୟା ୭୦୬ ଥିଲା, ଏହା ଶନିବାର ବଢି ୧,୫୬୫ ହୋଇଥିଲା ତେବେ ରବିବାର ଏହା ୧୬୫୦କୁ ପହଞ୍ଚିଛି।

Leave a Reply

Your email address will not be published. Required fields are marked *