କଳିଙ୍ଗ ଷ୍ଟାଡିୟମ୍‌କୁ ଫେରିଛି ହକି ଫିଭର, ବେଙ୍ଗଲ ଟାଇଗର୍ସ କୁ ହରାଇ ବିଜୟ ହାସଲ କରିଛି ହାଇଦ୍ରାବାଦ ତୁଫାନ୍ସ

କଳିଙ୍ଗ ଷ୍ଟାଡିୟମ୍‌କୁ ଫେରିଛି ହକି ଫିଭର। ୯ବର୍ଷ ପରେ ଏଠାକାର ହକି କଂପ୍ଲେକ୍ସର ନୀଳ ଟର୍ଫରେ ହକି ଇଣ୍ଡିଆ ଲିଗ୍‌ (ହିଲ୍‌)ର ଯାଦୁ ରାଜଧାନୀ ହକିପ୍ରେମୀଙ୍କୁ ମତୁଆଲା କରିଛି। କାରଣ ବହୁ ପ୍ରତୀକ୍ଷା ପରେ‌ ପୁଣି ଥରେ ଏହି ଚର୍ଚ୍ଚିତ ଲିଗ୍‌କୁ ପୁଣି ଥରେ ପାଖରୁ ଦେଖିବାର ସୁଯୋଗ ସେମାନଙ୍କ ହାତ ପାଆନ୍ତାରେ ଉପନୀତ ହୋଇଛି।୨୦୧୭ରେ ଶେଷ ଥରପାଇଁ ହକି ଇଣ୍ଡିଆ ଲିଗ୍‌ ଭୁବନେଶ୍ବରରେ ଖେଳାଯାଇଥିଲା। ସେହି ପୁରୁଣା ରୋମାଞ୍ଚର ଅଭୁଲା ସ୍ମୃତି ଓ ନୂଆ ଉନ୍ମାଦର ଆଶା ସ୍ଥାନୀୟ ହର୍ଶକଙ୍କୁ ବିମୋହିତ କରିଛି। ଗତବର୍ଷ ଅର୍ଥାତ୍ ୨୦୨୪-୨୫ରେ ହିଲ୍ ଫେରିବା ହକିପ୍ରେମୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଥିଲା। ହେଲେ ଭୁବନେଶ୍ବରରେ ମ୍ୟାଚ୍ ହୋଇ ନଥିଲା। ରାଉରକେଲର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଗତ ପ୍ରତ୍ୟାବର୍ତ୍ତନ ଋତୁର ସବୁ ମ୍ୟାଚ୍ ଖେଳାଯାଇଥିଲା। ଏଥର କିନ୍ତୁ ହକି ଇଣ୍ଡିଆ ଲିଗ୍‌ ତିନିଟି ସହରକୁ ସଂପ୍ରସାରିତ ହୋଇଛି। ରାଞ୍ଚି ଓ ଚେନ୍ନାଇରେ ଲିଗ୍‌ ପର୍ଯ୍ୟାୟ ଖେଳାଯିବା ପରେ ଭୁବନେଶ୍ବରରେ ନକ୍‌ଆଉଟ୍‌ ପର୍ଯ୍ୟାୟ ଶନିବାରଠାରୁ ଆରମ୍ଭ ହୋଇଛି। ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପେସାଦାର ହକି ମେଳା। ଫାଷ୍ଟ୍‌ ହକିର ଗ୍ଲାମରିୟସ୍‌ ରୂପ, ନୂଆ ନୂଆ ହକି ତାରକାଙ୍କ ଗୌରବମୟ ପଦାର୍ପଣ ଏବଂ ଗୋଲ୍‌ ବର୍ଷାର ଆତୁର ଆଶା ହକିପ୍ରେମୀଙ୍କୁ ଅଧିକ ଅନନ୍ଦିତ କରିଛି।

ଶନିବାର କଳିଙ୍ଗ ଷ୍ଟାଡିୟମ୍‌ର ପ୍ରଥମ ‘ହକି ଇଣ୍ଡିଆ ଲିଗ୍-୨୦୨୬’ ମୁକାବିଲାରେ ହାଇଦ୍ରାବାଦ ତୁଫାନ୍ସ ଜବରଦସ୍ତ ଢଙ୍ଗରେ ଏକତରଫା ବିଜୟ ହାସଲ କରିଛି। ୪ କ୍ବାର୍ଟରରେ ୬ ଗୋଲ୍ ଦେଇ ଶ୍ରାଚୀ ବେଙ୍ଗଲ ଟାଇଗର୍ସକୁ ଅତିସହଜରେ ୬-୦ରେ ଶିକାର କରି ନେଇଛି। ଏହି ଦଳର ଦୁଇ ଜଣ ଖେଳାଳି ଜଚେରି ୱାଲେସ୍ ଓ ଟିମ୍‌ ବ୍ରାଣ୍ଡ୍‌ ହ୍ୟାଟ୍ରିକ୍ ଗୋଲ୍‌ ଅର୍ଜନ କରିଛନ୍ତି। ହାଇଦ୍ରାବାଦ ତୁଫାନ୍ସର ଏହି ଗୋଲ୍‌ ଆଧିପତ୍ୟ ପ୍ରଥମ କ୍ବାର୍ଟର୍‌ରୁ ହିଁ ଆରମ୍ଭ ହୋଇଯାଇଥିଲା। ପ୍ରଥମ ଓ ଦ୍ବିତୀୟ କ୍ବାର୍ଟରରେ ଦୁଇଟି ଲେଖାଏଁ ଗୋଲ୍ ଦେବା ପରେ ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ୱାଲେସ୍‌ ଓ ବ୍ରାଣ୍ଡ୍‌ ନିଜ ଦଳ ହାଇଦ୍ରାବାଦ ତୁଫାନ୍ସ ଶିବରରେ ଖୁସିର ଲହରି ଖେଳାଇ ଦେଇଥିଲେ। ୱାଲେସ୍‌ ୨, ୧୭ ଓ ୩୦ ମିନିଟ୍‌ରେ ଗୋଲ୍ ଦେଇଥିଲେ। ସେହିଭଳି ବ୍ରାଣ୍ଡ ୧୨, ୩୯ ଓ ୪୬ ମିନିଟ୍‌ରେ ଶ୍ରାଚୀ ବେଙ୍ଗଲ ଟାଇଗର୍ସର ଗୋଲ୍ ପୋଷ୍ଟ ଭିତରକୁ ସଫଳତାର ସହ ବଲ୍‌ ପଠାଇ ଦେଇଥିଲେ। ଉଭୟ ମଧ୍ୟ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରିବାର ବ୍ୟକ୍ତିଗତ ସଫଳତା ଲାଭ କରିଥିଲେ। ବେଙ୍ଗଲ ଟାଇଗର୍ସ ଖେଳାଳିମାନେ ଅତ୍ୟନ୍ତ ଖରାପ ଖେଳ ଖେଳି ବଡ଼ ପରାଜୟ ବରଣ କରିଥିଲେ।

Leave a Reply

Your email address will not be published. Required fields are marked *