୩୦ କୋଟି ଠକେଇ ଅଭିଯୋଗରେ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ

ଉଦୟପୁରର ଜଣେ ବ୍ୟବସାୟୀଙ୍କୁ ୩୦ କୋଟି ଠକେଇ ଅଭିଯୋଗରେ ରବିବାର ମୁମ୍ବାଇ ଏବଂ ରାଜସ୍ଥାନ ପୋଲିସ ମିଳିତ ଭାବରେ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛନ୍ତି  । ପୋଲିସ ତାଙ୍କୁ ମୁମ୍ବାଇର ୟାରି ରୋଡ୍ ଅଞ୍ଚଳର ଗଙ୍ଗା ଭବନ ଆପାର୍ଟମେଣ୍ଟରୁ ଗିରଫ କରିଛି । ଏହି ଘର ତାଙ୍କ ଶାଳୀଙ୍କ ମାଲିକାନାରେ ଅଛି। ଏବେ ରାଜସ୍ଥାନ ପୋଲିସ ତାଙ୍କୁ ଉଦୟପୁରକୁ ନେଇଯିବା ପାଇଁ ବାନ୍ଦ୍ରା କୋର୍ଟରେ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇଁ ଆବେଦନ କରିବ। ୧୭ ନଭେମ୍ବରରେ, ରାଜସ୍ଥାନର ଇନ୍ଦିରା ଗ୍ରୁପ୍ ଅଫ୍ କମ୍ପାନୀଜର ମାଲିକ ଡକ୍ଟର ଅଜୟ ମୁର୍ଡିଆ, ବିକ୍ରମ ଭଟ୍ଟଙ୍କ ସମେତ ଆଠ ଜଣଙ୍କ ବିରୁଦ୍ଧରେ ୩୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣି ଏକ ଏଫଆଇଆର ଦାୟର କରିଥିଲେ।

ସେ ଅଭିଯୋଗ କରିଥିଲେ ଯେ, ସେ ଏକ କାର୍ଯ୍ୟକ୍ରମରେ ଦିନେଶ କଟାରିଆଙ୍କୁ ଭେଟିଥିଲେ। ସେ ତାଙ୍କ ପତ୍ନୀଙ୍କ ଉପରେ ଏକ ବାୟୋପିକ୍ ତିଆରି କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ କହିଥିଲେ ଯେ, ଏହି ଚଳଚ୍ଚିତ୍ର ସମଗ୍ର ଦେଶକୁ ତାଙ୍କ ଅବଦାନକୁ ବୁଝିବାରେ ସାହାଯ୍ୟ କରିବ। ଏହି ପରିପ୍ରେକ୍ଷୀରେ, ଦିନେଶ କଟାରିଆ ତାଙ୍କୁ ୨୪ ଏପ୍ରିଲ୍ ୨୦୨୪ରେ ମୁମ୍ବାଇର ବୃନ୍ଦାବନ ଷ୍ଟୁଡିଓକୁ ନିମନ୍ତ୍ରଣ କରିଥିଲେ। ସେଠାରେ ତାଙ୍କର ପରିଚୟ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ସହ ହୋଇଥିଲା। ସେମାନେ ଏକ ବାୟୋପିକ୍ ତିଆରି କରିବା ବିଷୟରେ ଆଲୋଚନା କରିଥିଲେ।

ଆଲୋଚନା ସମୟରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଭଟ୍ଟ ଚଳଚ୍ଚିତ୍ର ନିର୍ମାଣର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ ଏବଂ ତାଙ୍କୁ କେବଳ ଟଙ୍କା ପଠାଇବାକୁ ପଡିବ। ବିକ୍ରମ ଭଟ୍ଟ ଅଜୟ ମୁର୍ଡିଆଙ୍କୁ କହିଥିଲେ ଯେ, ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଏବଂ ଝିଅ କୃଷ୍ଣା ମଧ୍ୟ ଚଳଚ୍ଚିତ୍ର ନିର୍ମାଣରେ ଜଡିତ। ସେ ତାଙ୍କ ପତ୍ନୀ ଶ୍ୱେତାମ୍ବରୀଙ୍କୁ ତାଙ୍କ ଫାର୍ମ, VSB LLPରେ ଅଂଶୀଦାର ଭାବରେ ନିଯୁକ୍ତ କରିଥିଲେ। ସେମାନେ ଦୁଇଟି ଚଳଚ୍ଚିତ୍ର “ବାୟୋନିକ୍” ଏବଂ “ମହାରାଣା” ପାଇଁ ୪୦ କୋଟି ଟଙ୍କାର ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।

ମ’୩୧ , ୨୦୨୪ରେ ବିକ୍ରମ ଭଟ୍ଟଙ୍କୁ ୨.୫ କୋଟି ଟଙ୍କା RTGS କରାଯାଇଥିଲା। କିଛି ଦିନ ପରେ, ୭ କୋଟି ଟଙ୍କା ଦାବି କରାଯାଇଥିଲା, ଏବଂ କୁହାଯାଇଥିଲା ଯେ ୪୭ କୋଟି ଟଙ୍କାରେ ଚାରୋଟି ଫିଲ୍ମ ତିଆରି ହେବ । ଏଥିରୁ ପ୍ରାୟ ୧୦୦-୨୦୦ କୋଟି ଟଙ୍କା ଲାଭ ହେବ । ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀଙ୍କ ନିର୍ଦ୍ଦେଶରେ, ଅଜୟ ମୁର୍ଡିଆ ସେମାନେ ଚିହ୍ନଟ କରିଥିବା ବ୍ୟକ୍ତିଙ୍କୁ ଅନଲାଇନରେ ପେମେଣ୍ଟ କରିଥିଲେ।

ଅଜୟ ମୁର୍ଡିଆ ୨ ଜୁଲାଇ, ୨୦୨୪ରେ ଇନ୍ଦିରା ଏଣ୍ଟରଟେନମେଣ୍ଟ ପଞ୍ଜିକୃତ କରିଥିଲେ। ଏହି ଫାର୍ମର ଆକାଉଣ୍ଟରୁ ପ୍ରାୟ ୩ ଲକ୍ଷ ଟଙ୍କାର ପେମେଣ୍ଟ କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଇନ୍ଦିରା ଏଣ୍ଟରଟେନମେଣ୍ଟ ଆକାଉଣ୍ଟରୁ ପେମେଣ୍ଟ ପାଇଥିବା ଭେଣ୍ଡର ନକଲି ଥିଲେ। ଏହି ଭେଣ୍ଡର ରଙ୍ଗମିସ୍ତ୍ରୀ କିମ୍ବା ଅଟୋ ଡ୍ରାଇଭର ବୋଲି ଜଣାପଡିଛି। ପେମେଣ୍ଟ ପରେ, ପାଣ୍ଠିର ଏକ ବଡ଼ ଅଂଶ ବିକ୍ରମ ଭଟ୍ଟଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଛି ।

୭ ଦିନ ପୂର୍ବରୁ ଉଦୟପୁର ପୋଲିସ ବିକ୍ରମ ଭଟ୍ଟ, ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟ ଏବଂ ଅନ୍ୟ ଛଅ ଜଣ ଅଭିଯୁକ୍ତଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଡିସେମ୍ବର ୮ ତାରିଖ ସୁଦ୍ଧା ଉଦୟପୁର ପୋଲିସ ନିକଟରେ ହାଜର ହେବାକୁ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ଏହା ବ୍ୟତୀତ, ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ କେହି ବି ଅନୁମତି ବିନା ବିଦେଶ ଯାତ୍ରା କରିପାରିବେ ନାହିଁ। ଏହି ଘଟଣା ସାମ୍ନାକୁ ଆସିବା ପରେ, ଚଳଚ୍ଚିତ୍ର ନିର୍ମାତା କହିଥିଲେ ଯେ, ତାଙ୍କୁ ଏହି ବିଷୟରେ ଏପର୍ଯ୍ୟନ୍ତ କୌଣସି ନୋଟିସ୍ ମିଳିନାହିଁ। ସେ ଗଣମାଧ୍ୟମରେ ଏହା ବିଷୟରେ ଜାଣିବାକୁ ପାଇଲେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *