ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ, ଅବଧି କମ୍ ଥିଲେ ବି ବିଭିନ୍ନ ଦୃଷ୍ଟିକୋଣରୁ ଏହା ବେଶ୍‌ ଗୁରୁତ୍ବ

ଆଜିଠାରୁ କମ୍ପିବ ବିଧାନସଭା । କଂଗ୍ରେସ ଆଣିବ ଅନାସ୍ଥା ।ଆଇନଶୃଙ୍ଖଳା, ଚାଷୀ ସହ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେଡି । ବିରୋଧୀଙ୍କୁ କାଉଣ୍ଟର ପାଇଁ ଶାସକ ଦଳର ରଣନୀତି । ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସାତଟି କାର୍ଯ୍ୟଦିବସ ରହିଛି । ସେପ୍ଟେମ୍ବର ୧୯ ତାରିଖରେ କେବଳ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ବାକି ୬ ଦିନ ସରକାରୀ କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଦିବଂଗତ ବିଧ‌ାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୃହରେ କୌଣସି କାର୍ଯ୍ୟ ହେବ ନାହିଁ ବୋଲି ସୂଚନା ମିଳିଛି ।

ଅଧିବେଶନର ଅବଧି କମ୍ ଥିଲେ ବି ବିଭିନ୍ନ ଦୃଷ୍ଟିକୋଣରୁ ଏହା ବେଶ୍‌ ଗୁରୁତ୍ବ ବହନ କରୁଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ଓ ସାର ଅଭାବ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଜୋର୍‌ଦାର ଆକ୍ରମଣ କରିବାର ସମ୍ଭାବନା ରହିଛି । କଂଗ୍ରେସ ଏନେଇ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିପାରେ । ସେହିପରି ଚାଷୀ ସମସ୍ୟା, ସାର ଅଭାବ ସହ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରଙ୍କୁ ବିଜେଡି ମଧ୍ୟ ଶଣ୍ଢୁଆଶୀ ଆକ୍ରମଣ କରିବ । ବୁଧବାର କଂଗ୍ରେସ ଓ ବିଜେଡି ପକ୍ଷରୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି। ସେପଟେ ଆଜି ଅଧିବେଶନ ପୂର୍ବରୁ ବସିବ ବିଜେପି ବିଧାୟକ ଦଳ ବୈଠକ। ବିରୋଧୀ ଗୃହରେ ଯେଉଁ ଯେଉଁ ପ୍ରସଙ୍ଗ ଉଠାଇବେ ସଫଳତାର ସହ ଏହାକୁ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ କରିବ ଶାସକ ଦଳ ।

Leave a Reply

Your email address will not be published. Required fields are marked *