ଏନ୍. ଭାସ୍କର ରାଓ, ବିଜେଡି ଛାଡିଲେ, ଏହା ପରେ ଆଉ କିଏ

ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଦଳର ପ୍ରଭାବଶାଳୀ ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜେଡି ଛାଡିଛନ୍ତି । ସେ ଯାହା କହିଛନ୍ତି ତାହାର ସାଂରାସ ହେଉଛି ତାଙ୍କ କଥା କେହି ଶୁଣୁନାହାଁନ୍ତି । ଯେଉଁମାନେ ବର୍ଷ ପରେ ବର୍ଷ କାମ କରିଛନ୍ତି ସେମାନଙ୍କୁ ଜିଲ୍ଲା ଦାୟିତ୍ବ ମିଳୁନାହିଁ । ଏହାରି ଭିତରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ସମେତ ମୋଟ ୪୦ଜଣ ନେତାମାନେ ଦଳ ଛାଡିଛନ୍ତି ।

ବଡ଼ କଥା ହେଉଛି ଏନ୍. ଭାସ୍କର ରାଓ,  ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ । ଦକ୍ଷିଣ ଓଡ଼ିଶାରେ ବିଜେଡିକୁ ଆଗକୁ ନେବାରେ ତାଙ୍କର ଅବଦାନ ରହିଛି । ସେ ଦଳପାଇଁ ଅନେକ କ୍ଷତି ସହିଥିବା କଥା କହୁଛନ୍ତି । ବ୍ୟକ୍ତିଗତ ଭାବେ ସେ ଦୁଇ ଭାଇଙ୍କୁ ହରାଇଥିବା କହିଛନ୍ତି । ଦୁଇ ଦଶନ୍ଧି ହେଲା ସେ  ଦକ୍ଷିଣ ଓଡ଼ିଶାରେ ପ୍ରଭାବଶାଳୀ ଅଣକଂଗ୍ରେସ୍ ନେତା । ଯାହାଙ୍କ ପାଇଁ ଦକ୍ଷିଣ ଓଡ଼ିଶାରୁ କଂଗ୍ରେସ ମୂଳ ପୋଛ ହୋଇଛି । ଏନ ନାଗେଶ୍ବର ଦଳ ଛାଡିବା ପରେ ବିଜୁ ସ୍ବାଭିମାନ ମଞ୍ଚ ଗଠନ କରିଛନ୍ତି । ତାଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଏବଂ ଅନ୍ୟାନ୍ୟ ନେତାମାନେ ଦଳରୁ ଇସ୍ତଫା ଦେଇ ‘ବିଜୁ ସ୍ୱାଭିମାନ ମଞ୍ଚ’ ରେ ଅନ୍ୟମାନେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି । ନାଗେଶ୍ବରଙ୍କ କହିବା କଥା ସେମାନେ କୌଣସି ରାଷ୍ଟ୍ରୀୟ ଦଳରେ ଯୋଗ ଦେବେ ନାହିଁ ।  ବିଜୁବାବୁଙ୍କ ଆଦର୍ଶକୁ ଧରି ରଖି ରାୟଗଡ଼ାର ବିକାଶ ପାଇଁ କାମ କରିବେ। ଏହା କିପରି ସଂଭବ । ବିଜେଡିରେ ରହିବେ ନାହିଁ ଅଥଜ ବିଜୁବାବୁଙ୍କ ଆଦର୍ଶକୁ ନେଇ କାମ କରିବେ । ଏହାର ଭିତିରି କଥା ସେ କହିନାହାଁନ୍ତି । ତାଙ୍କ କହିବା କଥା ସେ  ୧୯୭୪ରୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦଳପାଇଁ କାମ କରିଥିଲେ । ଦଳକୁ ସୁଦୃଢ଼ କରିଥିଲେ। କିନ୍ତୁ  ସେ କହିଛନ୍ତି, “ରାୟଗଡ଼ା ଜିଲ୍ଲା ସଭାପତି ଚୟନରେ ଦଳ ପକ୍ଷରୁ  ଏକତରଫା ନିଷ୍ପତ୍ତି ନିଆଗଲା। ଦଳକୁ ଆମେ ସୁପାରିଶ କରିଥିବା ୩ଜଣଙ୍କ ମଧ୍ୟରୁ କାହାକୁ ସଭାପତି କରାଗଲା ନାହିଁ । ଏହା ଦ୍ବାରା ଦଳର ହଜାର ହଜାର କର୍ମୀଙ୍କ ଭାବନାକୁ ଅସମ୍ମାନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

କିନ୍ତୁ ଦଳର ପୂର୍ବତନ ସାଂସଦ ତଥାଗତ ଶତପଥୀ ପ୍ରତିକ୍ରିୟା ଦେଇ କହିଛନ୍ତି, “ଭାସ୍କର ରାଓ ଜଣେ ଟାଣୁଆ ନେତା। ସେମାନଙ୍କର ନିଷ୍ପତ୍ତି ପାଇଁ ଶୁଭେଚ୍ଛା।” ସେ କଟାକ୍ଷ କରି କହିଛନ୍ତି ଯେ, ବିଜେଡିର ଏକ୍ସପାରୀ ଡେଟ୍ ପଳେଇଗଲାଣି। ଦଳ ଏବେ ନୂଆ ନାମ-ରୂପରେ ଆସିବାର ସମ୍ଭାବନା ରହିଛି।

ଏହାରି ଭିତରେ ନବୀନ ପଟ୍ଟନାୟକ ସାଂଗଠନିକ କାର୍ଯ୍ୟରେ ସେତେ ସମୟ ଦେଇପାରୁନାହାଁନ୍ତି । ନବୀନ ଅନ୍ୟମାନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା ଯୋଗୁଁ ଦଳରେ ଗୋଷ୍ଠୀକନ୍ଦଳ ବଢ଼ୁଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି ।  ଭିକେ ପାଣ୍ଡିଆନଙ୍କୁ ଦଳର ଅନେକ ନେତା ଭିନ୍ନ ଚକ୍ଷୁରେ ଦେଖୁଛନ୍ତି । ଦଳ ହାରିବାର କାରଣ ପାଇଁ ତାଙ୍କୁ ଦାୟୀ କରାଯାଉଛି । ପାଣ୍ଡିଆନଙ୍କ ଗର୍ବ-ଅହଙ୍କାର ଏବଂ ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁଁ ୨୦୨୪ ନିର୍ବାଚନରେ ବିଜେଡି ହାରିଲା ବୋଲି ବିଜେଡିର ଅନେକ ନେତା ଅଭିଯୋଗ କରୁଛନ୍ତି । ବିଶେଷ କରି  ଦକ୍ଷିଣ ଓଡ଼ିଶାର ୨୯ଟି ବିଧାନସଭା ଆସନରୁ ମାତ୍ର ୩ଟି ଜିତିଛି ବିଜେଡି ।

ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ରାୟଗଡ଼ାରୁ ସେ ସାଂସଦ ରହିଥିଲେ । ତେବେ ଇସ୍ତଫାର କାରଣ ସେ କହିଛନ୍ତି ବୟସ ଅଧିକ କାରଣରୁ ସେ ଇସ୍ତଫା ଦେଇଛନ୍ତି । କିନ୍ତୁ ଆଭ୍ୟନ୍ତରୀଣ ସାଂଗଠନିକ ପରିଚାଳନାରେ ସେ ସନ୍ତୁଷ୍ଟ ନାହାଁନ୍ତି । ତେବେ ଏନେଇ ବିଜେଡିର ରାୟଗଡ଼ା ଜିଲ୍ଲା ସଭାପତି ଜଗନ୍ନାଥ ସାରକା କହିଛନ୍ତି, “ଜିଲ୍ଲାରେ ବିଜେଡି ସୁଦୃଢ଼ ଅଛି। ସେମାନଙ୍କ ଇସ୍ତଫାରୁ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।” ଦଳର ମୁଖପାତ୍ର ଲେନିନ୍ ମହାନ୍ତି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ବାଢ଼ାଇ କହିଛନ୍ତି ଯେ, ଏହାରୁ ଦଳର କୌଣସି ନଷ୍ଟ ହେବ ନାହିଁ।

୨୦୨୪ ନିର୍ବାଚନରେ ବିଜେଡି ମାତ୍ର ୩ଟି  ଆସନ ଯଥା ଗଞ୍ଜାମ, ନବରଙ୍ଗପୁର ଓ ଗଜପତିରେ ଜିତିଥିଲା। ବିଜେପି ୧୭ଟି ଓ କଂଗ୍ରେସ ୯ଟି ଆସନରେ ଜିତିଛି ।  କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ବିଜେଡି ଖାତା ଖୋଲିପାରିନଥିଲା। ଏବେ ଭାସ୍କରଙ୍କ ଭଳି ନେତାଙ୍କ ଇସ୍ତଫା ପରେ ଦଳ ଭିତରେ ଅସନ୍ତୋଷ ପଦାରେ ପଡିଛି । ଜିଲ୍ଲାରେ ବିଜେଡିର କିଏ ନେତୃତ୍ୱ ନେବ ତାହା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *