ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକଙ୍କ ଉପରେ ନିର୍ଯାତନା ବୃଦ୍ଧି,୫ ବର୍ଷରେ ୩୭୪୪ ମାମଲା, ବଲାଙ୍ଗୀରରେ ସର୍ବା‌ଧିକ ୮୫୪

ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା (ଉଭୟ ରାଉରକେଲା ଓ ପୁଲିସ ଜିଲ୍ଲା)ଠାରୁ ଆରମ୍ଭ କରି କଳାହାଣ୍ଡି ପର୍ଯ୍ୟନ୍ତ ସବୁଠାରେ ସମାନ ସ୍ଥିତି। ଏହି ତାଲିକାରେ ସର୍ବାଗ୍ରେ ରହିଛି ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା। ବିଗତ ପାଞ୍ଚ ବର୍ଷ ଅର୍ଥାତ ୨୦୨୧ରୁ ୨୦୨୫ ମସିହା ମଧ୍ୟରେ ଏହି ଅଞ୍ଚଳରେ ଏଭଳି ସମ୍ବେଦନଶୀଳ ଘଟଣାରେ ୩,୭୪୪ଟି ଆପରାଧିକ ମାମଲା ରୁଜୁ ହୋଇଛି।ଗତ ୫ ବର୍ଷରେ ରାଉରକେଲା ପୁଲିସ ଜିଲ୍ଲାରେ ୧୬୫ଟି ମାମଲା ଓ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୩୦୫ଟି ଏସ୍‌ସି-ଏସ୍‌ଟି ମାମଲା ରୁଜୁ ହୋଇଛି। ସେହିଭଳି ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୮୫୪ଟି ମାମଲା ରୁଜୁ ହୋଇଥିବାବେଳେ ବରଗଡ଼ରେ ୬୦୪, କଳାହାଣ୍ଡିରେ ୫୪୬, ସମ୍ବଲପୁରରେ ୩୩୧, ସୁବର୍ଣ୍ଣପୁରରେ ୨୮୩, ଝାରସୁଗୁଡ଼ାରେ ୨୦୫, ନୂଆପଡ଼ାରେ ୧୮୦, ବୌଦ୍ଧରେ ୧୬୪ ଓ ଦେବଗଡ଼ରେ ୧୦୭ଟି ମାମଲା ରୁଜୁ ହୋଇଥିଲା। ୨୦୨୫ ମସିହାରେ ପଶ୍ଚିମ ଓଡ଼ିଶାର ୧୧ଟି ପୁଲିସ ଜିଲ୍ଲାରେ ୫୭୮, ୨୦୨୪ରେ ୭୩୪, ୨୦୨୩ରେ ୮୫୨, ୨୦୨୨ରେ ୮୩୮ ଓ ୨୦୨୧ରେ ୭୪୨ଟି ମାମଲା ରୁଜୁ ହୋଇଥିଲା। ଗ୍ରାମାଞ୍ଚଳରେ ଜମିଜମା ବିବାଦ, ସାମାଜିକ ବାସନ୍ଦ, ଶାରୀରିକ ନିର୍ଯାତନା ତଥା ଜାତିଗତ ଆକ୍ଷେପ ଭଳି କାରଣ ଯୋଗୁଁ ନିର୍ଯାତନା ମାମଲା ବଢ଼ିବାରେ ଲାଗିଛି।ପଛୁଆ ସମ୍ପ୍ରଦାୟକୁ ସୁରକ୍ଷା ଦେବା ପାଇଁ ଅନେକ ସାମ୍ବିଧାନିକ ବ୍ୟବସ୍ଥା ଥିଲେ ମଧ୍ୟ ପ୍ରତିବର୍ଷ ମାମଲା ସଂଖ୍ୟା ବୃଦ୍ଧି ପାଉଛି। ‘ଏସ୍‌ସି-ଏସ୍‌ଟି ଅତ୍ୟାଚାର ନିରୋଧ ଆଇନ’ ଅଧୀନରେ ମାମଲା ରୁଜୁ ହେଉଥିଲେ ହେଁ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଓ ପ୍ରମାଣ ଅଭାବରୁ ଅନେକ ସମୟରେ ଅଭିଯୁକ୍ତମାନେ ଖଲାସ ହୋଇଯାଉଥିବା ଅଭିଯୋଗ ହେଉଛି। ଦୋଷୀମାନଙ୍କ ବିରୋଧରେ କଠୋର ତଥା ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ମାମଲାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ତଥା ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।